ଜିଲ୍ଲା ବ୍ରାହ୍ମଣ ସମିତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ଜୁନ୍ ମାସ ୧୯ ତାରିଖ ପାଳିତ ହେବାକୁ ଯାଉଥିବା ଶତବାର୍ଷିକୀ ଉତ୍ସବ ପାଇଁ ଜିଲା ବ୍ରାହ୍ମଣ ସମିତି ପକ୍ଷରୁ ପ୍ରସ୍ତୁତି ବୈଠକ ଦାମୋଦରପୁରସ୍ଥିତ କାର୍ଯ୍ୟାଳୟରେ ସଭାପତି ଡା. ଶ୍ରୀଶ କୁମାର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ଦାଶ ବିବରଣୀ ଓ ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ସମିତି ଦ୍ୱାରା ଆସନ୍ତା ଜୁନ୍ ମାସରେ ପାଳିତ ହେବାକୁ ଥିବା ଶତବାର୍ଷିକୀ ଉତ୍ସବର ସୁପରିଚାଳନା ବାବଦରେ ଅଧିବାସ, ଯଜ୍ଞାନୁଷ୍ଠାନ ଓ ଉଦଯାପନୀ ଦିବସରେ ସଭାକାର୍ଯ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦି କିପରି ସୁଚାରୁ ରୂପେ ପରିଚାଳିତ ହୋଇପାରିବ, କିଏ କେଉଁ ଦାୟିତ୍ୱରେ ରହିବେ ସେ ବିଷୟରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ ଆଲୋଚନାରେ ପଣ୍ଡିତ କୃଷ୍ଣଚନ୍ଦ୍ର ପତି, ଶକ୍ତିପଦ ପଣ୍ଡା ଓ ଲକ୍ଷ୍ମୀଧର ମହାପାତ୍ର, କ୍ଷତିଶ୍ୱର ଦାଶ, ବୁଦ୍ଧିରାମ ପାଣିଗ୍ରାହୀ, ପ୍ରଦୀପ ମିଶ୍ର, ନିରାକାର ଦାଶ, ରାଧାକୃଷ୍ଣ ଆଚାର୍ଯ୍ୟ, କମଳାକାନ୍ତ ଦାଶ, ସରୋଜ ନାରାୟଣ ଷଡ଼ଙ୍ଗୀ ଓ ଭୃଗୁରାମ କର ଆଦି ବରିଷ୍ଠ ପଣ୍ଡିତମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଉତ୍ଥାନ ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ୧୦୮ଜଣ ବ୍ରାହ୍ମଣମାନଙ୍କ ଦ୍ୱାରା ଏକଲକ୍ଷ ୨୫ ହଜାର ଗାୟତ୍ରୀ ଜପ କରାଯିବାକୁ ସିଦ୍ଧାନ୍ତ ନିଆଯାଇଥିଲା । ଉଦ୍ଯାପନୀ ଦିବସରେ ଦିବା ୭ ଘଟିକା ଠାରୁ ଗାନ୍ଧୀସ୍ମୃତି ଭବନରେ ଆରମ୍ଭ ହୋଇ ସାରାଦିନ ସାଧାରଣ ସଭା, ମୁଖପତ୍ର ଲୋକାର୍ପଣ, ପ୍ରତିଭାଦୀପ୍ତ ପ୍ରଣମ୍ୟ ବେଦବିତ୍ ବ୍ରାହ୍ମଣମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆସରରେ ଶତବାର୍ଷିକ ସମାରୋହ ଅନୁଷ୍ଠିତ ହେବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗୃହୀତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ୱର ପତି, କ୍ଷିତିଶ ଚନ୍ଦ୍ର ପଣ୍ଡା, ପ୍ରଦୀପ ଚକ୍ରବର୍ତ୍ତୀ ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଆଦି ବ୍ରାହ୍ମଣ ନାରାୟଣମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପଣ୍ଡିତ ବୈଦ୍ୟନାଥ ଆଚାର୍ଯ୍ୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ବିକ୍ରମ ପଣ୍ଡାଙ୍କ ନିଆରା ପ୍ରୟାସ I


