ଜିଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ବୈଠକରେ ଦାବି କରାଯାଇଛି । ମାସିକ ବାର୍ଦ୍ଧକ୍ୟ ଭତ୍ତା ଦୁଇହଜାର ଟଙ୍କାକୁ ବୃଦ୍ଧିପାଇଁ ଓ ରେଳଯାତ୍ରାରେ ବରିଷ୍ଠ ନାଗରିକମାନଙ୍କୁ ପୂର୍ବପରି ରିହାତି ପ୍ରଦାନ ଦାବିକରି ପୁନଶ୍ଚ ସରକାରଙ୍କୁ ଚିଠି ଲେଖିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ନିର୍ଯ୍ୟାତିତ ବୟସ୍କ ବ୍ୟକ୍ତିଙ୍କ ସମସ୍ୟାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ରାଜପଥ ପାଶ୍ୱର୍ରେ ନୂଆ ବସ୍ଷ୍ଟାଣ୍ଡ୍ ପାଇଁ ଶିଳାନ୍ୟାସ ଦିଆଯାଇଥିବା ଜମିରେ ବ୍ରିଟ୍ପକ୍ଷରୁ ବହୁତଳ ପ୍ରାସାଦ ନିର୍ମାଣ କରି ବ୍ୟକ୍ତିବିଶେଷଙ୍କୁ ହସ୍ତାନ୍ତର ପାଇଁ ହେଉଥିବା ଉଦ୍ୟମକୁ ବୈଠକରେ ଦୃଢ଼ ବିରୋଧ କରାଯାଇଛି । ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରାଯାଇଛି । ମଞ୍ଚର ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ବେହେରା ଆଲୋଚନାର ବିବରଣୀ ଉପସ୍ଥାପିତ କରି ପ୍ରତିମାସର ୨ୟ ରବିବାର ଦିନ ମାସିକ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ । ସହରରେ ନବନିର୍ମିତ ଉଡ଼ନ୍ତା ପୋଲ ପାଶ୍ୱର୍ରେ ଅସାମାଜିକ କାର୍ଯ୍ୟ ହେଉଥିବା ଅଭିଯୋଗ ଉପରେ ପୁଲିସ ନଜର ରଖିବାକୁ ବୈଠକରେ ତ୍ରିଦୀପ ନାୟକ ଦାବି କରିଥିଲେ । ଏହି ବୈଠକରେ ଦାମୋଦର ନାୟକ, ସୀତାରାମ ପ୍ରଧାନ, ଗୋପୀନାଥ ଦାସ, କମଳାକାନ୍ତ ବେହେରା, ଗୌରାଙ୍ଗା ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ଜେନା ଓ ଜ୍ଞାନାନନ୍ଦ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯଶୋଦା ନନ୍ଦନ ଆସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


