୨୫ରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲାବାସୀଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ପ୍ରଦାନ ଦାବିରେ ଚଳିତ ଫେବୃଆରୀ ମାସ ୨୫ ତାରିଖ ଦିନ ୧୦ଟାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ନିରବ ଗଣଧାରଣା ପାଇଁ ନିଷ୍ପତ୍ତି ନେଇଛି ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି । ସ୍ୱର୍ଗତ ଡା. ହରିଶ୍ଚନ୍ଦ୍ର ଜେନାଙ୍କ ବାସଭବନ ପରିସରରେ ଅନୁଷ୍ଠିତ କମିଟିର ପରିବର୍ଦ୍ଧିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାବାସୀଙ୍କ ଦାବି ଓ ଆନ୍ଦୋଳନ ପରେ ବାଲେଶ୍ୱରରେ ମେଡିକାଲ କଲେଜ୍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବରୁ ରୋଗୀମାନେ ଉପଯୁକ୍ତ ସେବା ପାଇପାରୁନାହାନ୍ତି ବୋଲି କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ବାଲେଶ୍ୱରରେ ଏମସ୍ର ବହିର୍ବିଭାଗ ମଧ୍ୟ ୭ଦିନ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଜିଲ୍ଲାବାସୀଙ୍କ ସାମୂହିକ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆବେଦନ, ନିବେଦନ ଓ ଗଣତାନ୍ତ୍ରିକ ଆନ୍ଦୋଳନରେ ବହୁବାର ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ତେଣୁ ଆସନ୍ତା ୨୫ ତାରିଖ ଦିନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ, ସଦସ୍ୟା ଓ ବିଭିନ୍ନ ଗଣ ସଂଗଠନର ପ୍ରତିନିଧିମାନେ ମୁହଁରେ କଳାପଟି ବାନ୍ଧି ସରକାରଙ୍କ ଅବିଚାର ଓ ମୌନତା ବିରୋଧରେ ପ୍ରତିବାଦ କରିବାକୁ କମିଟି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି । ଆଗାମୀ ଆନ୍ଦୋଳନକୁ ସହଯୋଗ ପାଇଁ ବୈଠକରେ ବାଲେଶ୍ୱରବାସୀଙ୍କୁ ନିବେଦନ କରାଯାଇଛି ।ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସଂପାଦକ ପ୍ରଦୀପ ଦାସ ସ୍ୱାସ୍ଥ୍ୟସେବାରେ ଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ । ସର୍ବଶ୍ରୀ ଶମ୍ଭୁନାଥ ମହାନ୍ତି, ପ୍ରଫେସର ଅନନ୍ତ ପ୍ରଧାନ, ମମତା ମହାପାତ୍ର, ବେଣୁଧର ବାରିକ, ପ୍ରତିମା ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ପଦ୍ମଲୋଚନ ଦତ୍ତ, ଇଂ. ବନମାଳୀ ନାୟକ, ଇଂ. ହୃଷିକେଶ ସାହୁ, ଦୀନବନ୍ଧୁ ଲେଙ୍କା, ପ୍ରଭାକର ସାହୁ, ନିରଞ୍ଜନ ରାଉତ, ପ୍ରଫୁଲ୍ଲ କୁମାର ଦାସ, ସୀତାରାମ ପ୍ରଧାନ, ଅକ୍ଷୟ କୁମାର ତ୍ରିପାଠୀ, ଜତିନ୍ ପାତ୍ର, ଶ୍ୟାମସୁନ୍ଦର ଜେନା, ବନ୍ଦନା ବିଶ୍ୱାସ, ଲକ୍ଷ୍ମୀପ୍ରିୟା ଜେନା, ରମେଶ ଚନ୍ଦ୍ର ଜେନା, ବିଜୟ ଦାସ ଅଧିକାରୀ ଓ ସଚିନ୍ଦ୍ର ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକ ପ୍ରାରମ୍ଭରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଡ. କ୍ଷିତିଶ୍ୱର ଦାଶ ଶେଷରେ ଧନ୍ୟବାଦ ଦେଇଥିଲେ ।


