ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଧାନ କିଣାକୁ ନେଇ ବିଭିନ୍ନ ସ୍ଥାନରେ ଚାଷୀଙ୍କ ଅସନ୍ତୋଷ ବୃଦ୍ଧିପାଉଛି । କେଉଁଠାରେ ମିଲରମାନେ ଧାନ ନେଉ ନାହାନ୍ତି ତ ଆଉ କେଉଁଠାରେ ଟୋକେନ ପ୍ରଦାନ କରାଯାଉଥିଲେ ମଧ୍ୟ ଧାନମଣ୍ଡି ଗୁଡିକ ଧାର୍ଯ୍ୟ ତାରିଖରେ ଧାନ ନ ନେଇ ସମୟ ଅପଚୟ ସହ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଥିବାର ଅଭିଯୋଗ ହୋଇ ଆସୁଛି । ଏହାକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀକୂଳ ରାସ୍ତାରୋକ ଆନ୍ଦୋଳନ କରୁଛନ୍ତି । ହେଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ପାଇଁ ପ୍ରଶାସନ ବ୍ୟସ୍ଥତାରେ ରହିଥିବା ବେଳେ ଏହାର ସୁଯୋଗ ନେଇ ମିଲରମାନେ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । ସେପଟେ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମାଧ୍ୟମରେ ଧାନ କିଣିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଚଳିତ ବର୍ଷ ଠାରୁ ଏହା ଲାଗୁ ହୋଇଥିଲେ ହେଁ କେତେକ ସ୍ଥାନରେ ଏହି ସ୍ୱୟଂ ସହାୟିକା ଗୋଷ୍ଠୀମାନେ ଧାନ କ୍ରୟ କରୁନଥିବାର ଅଭିଯୋଗ ହୋଇଛି । ଆଜି ଏନେଇ ଚାଷୀକୂଳ ଏକତ୍ରିତ ହୋଇ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ କହିଛନ୍ତି ଯେ, ଏହି ମହିଳା ଏସ୍‌ଏଚ୍‌ଜି ମାନେ ଧାନ କ୍ରୟ କରୁଥିଲେ ହେଁ ୨୪ଘଣ୍ଟା ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁନାହାନ୍ତି । ଧାନ ଦେଇ ୧୨ଦିନ ବିତିଯାଇଥିଲେ ମଧ୍ୟ ଏହି ଟଙ୍କା ଗୁଡିକ ଜମା ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ଏଭଳି ଚାଷୀ ସମସ୍ୟା ଚାଲୁ ରହିଥିବାର ମଧ୍ୟ ଜଣାଇଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେମାନେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଜରୁରୀ ବୋଲି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ