ଜିଲ୍ଲାରେ ପୁଣି ଆରମ୍ଭ ହେଲା ଅଭିଯୋଗ ଶୁଣାଣୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଦୀର୍ଘ ୨ ବର୍ଷ ପରେ ଗଂଜାମ ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣୀ । କୋଭିଡ ମହାମାରୀ ଯୋଗୁଁ ଏହି ଅଭିଯୋଗ ଶୁଣାଣୀ ବନ୍ଦ ରହିଥିଲା । ଆଜି ସ୍ଥାନୀୟ ଡିଆରଡିଏ ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ପ୍ରଥମେ ସକାଳ ୧୦ ଠାରୁ ୧୧ ଟା ଦିବ୍ୟାଙ୍ଗ ମାନଙ୍କ ପାଇଁ ଏବଂ ୧୧ ଟାରୁ ସର୍ବସାଧାରଣ ମାନଙ୍କ ଗଂଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ପଡିକାର୍ଡ, ସ୍ୱାସ୍ଥ୍ୟ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡିଆ, ବିଜୁ ପକ୍କା ଘର, ମୋ ଗୁହାଳ, ବସୁନ୍ଧରା ଯୋଜନାରେ ଜମି ପଟ୍ଟା ପ୍ରଦାନ ଏବଂ କେତେକ ସାମୁହିକ ଅଭିଯୋଗ ଶୁଣାଣୀ ହୋଇଥିଲା । ଦୀର୍ଘ ଦୁଇ ବର୍ଷ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟକ୍ତି ବିଶେଷ ଓ ଜନ ପ୍ରତିନିଧି ମାନେ ସେମାନଙ୍କ ନିଜ ନିଜର ଅଭିଯୋଗ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏ ପ୍ରଥମେ ୩୭ ଟି ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣାଣି କରାଯାଇଥିବା ବେଳେ ସେଥିରୁ ୨୪ଟି ଅଭିଯୋଗ ଆଶୁ ସମାଧାନ ହୋଇଥିଲା । ସେହିପରି ଦୁଇ ଜଣ ଦିବ୍ୟାଙ୍ଗଙ୍କୁ ରେଡକ୍ରସ ପାଣ୍ଠିରୁ ୧୭ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୩ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହା ସହିତ ୧୬ ଜଣ ଦିବ୍ୟାଙ୍ଗଙ୍କୁ ଲାପଟପ ପ୍ରଦାନ କରାଯାଇଥିବା ବେଳେ ୧୮ ଜଣ କିନ୍ନରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଜଣକୁ ଆଶା ବାଡି ଆଉ ଜଣେ ଦିବ୍ୟାଙ୍ଗଙ୍କୁ ପେନସନ୍ ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଅବଶିଷ୍ଟ ଆବେଦନର ଫଇସଲା କରାଯିବ । ସେହିପରି ୪୧ ଟି ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣୀ କରାଯାଇଥିବା ବେଳେ ସେଥି ମଧ୍ୟରୁ ୩୦ ଟି ବ୍ୟକ୍ତିଗତ ରହିଛି । ଆଉ ୧୧ ଟି ସାମୁହିକ ଅଭିଯୋଗ ଶୁଣାଣୀ କରାଯାଇଥିବା ସୂଚନା ମିଳିଛି । ଏହି ଶୁଣାଣୀରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ତ୍ରେୟ ଭାଉ ସାହେବ, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଂଶୁ କୁମାର ମହାରଣା, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ପି. ପଦ୍ମା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରି ରାଜେନ୍ଦ୍ର ମଲ୍ଲିକ, ସହକାରୀ ଯୋଗାଣ ଅଧିକାରୀ ପିତାମ୍ବର ସେଠୀ, ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।


