ଜିଲ୍ଲାର ସମସ୍ତ ଚିକିତ୍ସାଳୟ ଗୁଡିକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି- ଜିଲ୍ଲାପାଳ
ଛତ୍ରପୁର (ଦେବଦତ୍ତ ମହାରଣା): ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ନେଇ ଏକ କର୍ମଶାଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଆଭାସୀ ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଗତ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଥିଲେଯେ, ବର୍ତ୍ତମାନ ସ୍ଥିତିରେ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡିକୁ ପୋଷ୍ୟ ଭବେ ଗ୍ରହଣ କରି ଅତ୍ୟାଧୁନିକ ବିଦ୍ୟାଳୟରେ ପରିଣତ କରାଯାଇ ବିଦ୍ୟାଳୟର ପରିବେଶ, ସୌନ୍ଦର୍ଯ୍ୟକରଣ, ଶ୍ରେଣୀ ଗୃହର ଅତ୍ୟାଧୁନିକ ବ୍ୟବସ୍ଥା ସହିତ ଛାତ୍ରଛାତ୍ରୀଗଣ ପାଠପଢା ମନୋବୃତ୍ତି ପ୍ରତି କିଭଳି ଆକୃଷ୍ଟ ହେବେ ସେଥିନେଇ ସମସ୍ତ କାର୍ଯ୍ୟ ଚାଲିଛି । ଠିକ୍ ସେହିଭଳି ଜିଲ୍ଲାର ସମସ୍ତ ଚିକିତ୍ସାଳୟ ଗୁଡିକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଜଣେରୋଗୀ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପରେ ସେ ଯେପରି ଚିକିତ୍ସାଳୟର ପରିବେଶ, ଡାକ୍ତର, ଆଟେଣ୍ଡାଣ୍ଟ, ସେବିକା, ସେବା ଯୋଗାଉଥିବା କର୍ମଚାରୀ ମାନଙ୍କ ଦ୍ବାରା ଉପଯୁକ୍ତ ବ୍ୟବହାର ଓ ସେବା ରେ ଆତ୍ମିୟତା ଉପଲବଧି କରି ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହେବେ ସେହି ଲକ୍ଷ୍ୟନେଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ କହିଥିଲେ । ବିଶେଷ ଭାବେ ଡାକ୍ତରଗଣ କିମ୍ବା ଆଗ୍ରହୀ ବ୍ୟକ୍ତି ଚିକିତ୍ସାଳୟକୁ ପୋଷ୍ୟଭାବେ ଗ୍ରହଣ କରିବା ନେଇ ତତ୍ପରତା ପ୍ରକାଶ କରନ୍ତୁ ବୋଲି ମତ ରଖିଥିଲେ । ବୃଦ୍ଧ, ବୃଦ୍ଧା କିମ୍ବା ଦିବ୍ୟାଙ୍ଗ ବ୍ୟକ୍ତି ଚିକିତ୍ସା ନିମନ୍ତେ ଆସନ୍ତି ସେମାନଙ୍କୁ ତୁରନ୍ତ ଏବଂ ଅଧିକ ଯତ୍ନସହ ସେବା ଯୋଗାଇବା ପାଇଁ ପ୍ରବର୍ତ୍ତାଇ ଥିଲେ । ବର୍ତ୍ତମାନ ସ୍ଥିତିରେ ଚିକିତ୍ସାଳୟ ଗୁଡିକର ଆବଶ୍ୟକତା ନେଇ ଅତ୍ୟାଧୁନିକ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନେବାକୁ ଜଣାଇଥିଲେ । ରୋଗୀଙ୍କ ସକାଶେ ଉପଯୁକ୍ତ ବସିବା ସକାଶେ ସ୍ଥାନ, ପାନୀୟଜଳ ବ୍ୟବସ୍ଥା, କେଉଁ ସ୍ଥାନରେ କେଉଁ ସବୁ ସେବା ଉପଲବ୍ଧ ତାହା ସାଇନ୍ ବୋର୍ଡ ମାଧ୍ୟମରେ ଦର୍ଶାଇବା ଇତ୍ୟାଦି ସମସ୍ତ ସୂଚନାର ବ୍ୟବସ୍ଥା ସହିତ ଚିକିତ୍ସାଳୟ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ କରିବାପାଇଁ ଉପଦେଶ ଦେଇଥିଲେ । ଅନେକ ସ୍ଥାନରେ ଡାକ୍ତରଗଣ ରୋଗୀଙ୍କୁ ଭଲବ୍ୟବହାର ପ୍ରଦର୍ଶନ କରି ଚିକିତ୍ସା ଯୋଗାଇ ଦେଉଛନ୍ତି । ତେଣୁ ସେମାନେ ପ୍ରଶଂସାର ପାତ୍ର । ସାଧାରଣ ସେବା ନିମନ୍ତେ ଆସୁଥିବା ରୋଗୀ ଯେପରି ଚିକିତ୍ସାଳୟ ସେବାରେ ଆତ୍ମିୟତା ଉପଲବ୍ଧି କରିବେ ସେଥିପ୍ରତି ଡାକ୍ତର, ସେବିକା, ଆଟେଣ୍ଡାଣ୍ଟ ଓ ସମସ୍ତ କର୍ମଚାରୀ ମାନଙ୍କର ବ୍ୟବହାରରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ତେଣୁ ସେହି ଦିଗ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଗଞ୍ଜାମ ଜିଲ୍ଲାକୁ ୧୨୬.୫୫ କୋଟି ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଛି, ଯାହାକି ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କ ଠାରୁ ଅଧିକ । ଏହି ଆବଣ୍ଟନ ଅର୍ଥର ୩୦ରୁ ୩୬ ପ୍ରତିଶତ ଅଂଶ କେବଳ ଭିତ୍ତିଭୂମି ସକାଶେ ବିନିଯୋଗ ହେବ । କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମାଶଙ୍କର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରି କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, କାର୍ଯ୍ୟକାରୀ ହେବାକୁ ଥିବା ଯୋଜନା ସମ୍ପର୍କିତ ତଥ୍ୟ ପ୍ରାଞ୍ଜଳ ଭାବରେ ଦର୍ଶାଇଥିଲେ । ଚଳିତ ବର୍ଷର ଆନୁଦାନରେ ଆଶାକର୍ମୀ ମାନଙ୍କ ସେବା ନିମନ୍ତେ ଭଲ ଅର୍ଥ ବ୍ୟବସ୍ଥା ହୋଇଥିବା ଜଣାପଡିଛି । ସମସ୍ତ ସବ୍ ସେଣ୍ଟର ଗୁଡିକ ଯେପରି କାୟାକଳ୍ପ ଆଓ୍ବାର୍ଡ ପାଇବେ ସେଭଳି କାର୍ଯ୍ୟପନ୍ଥା ସ୍ଥିର କରିବାକୁ ମତ ରଖିଥିଲେ । ଜିଲ୍ଲା ମାତୃ ଓ ଶିଶୁ ସଂଯୋଜକ ଶକ୍ତି କୁମାର ଦିଗାଲ ଶିଶୁ ସ୍ବାସ୍ଥ୍ୟ ଯୋଜନା, ଗର୍ଭବତି ମହିଳାଙ୍କ ନିମନ୍ତେ କରାଯାଇଥିବା ନୂଆ ଯୋଜନା ବିଷୟରେ ଅବଗତ କରାଇଥିଲେ । ଚଳିତ ଆର୍ଥିକ ବର୍ଷରେ ଦୁର୍ଗମ ଅଞ୍ଚଳ ମାନଙ୍କରେ ସ୍ବତନ୍ତ୍ର ଟିକାକରଣ ଓ ମମତା ଦିବସ କିଭଳି କାର୍ଯ୍ୟକାରୀ କରାଯିବ ଏବଂ ଅଣ କୁଶଳୀ ଏ.ଏନ.ଏମ୍. ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସେମାନେ ଯେଭଳି କୁଶଳୀ ହେବେ ସେ ଦିଗରେ ଅବଗତ କରାଇଥିଲେ । ବୈଠକରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀଗଣ ଉପସ୍ଥିତ ଥିଲେ ।


