ହିନ୍ଦ ମଜଦୁର ସଭା ପକ୍ଷରୁ ଆର୍ନ୍ତଜାତିକ ଶ୍ରମିକ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ଅନ୍ୟତମ ଶ୍ରମିକ ସଂଗଠନ ‘ହିନ୍ଦ ମଜଦୁର ସଭା’ ପକ୍ଷରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ସ୍ଥାନୀୟ ରେଲୱେ ଇନଷ୍ଟିଚ୍ୟୁଟ ପରିସରରେ ପାଳିତ ହୋଇଯାଇଛି । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଶ୍ରମିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାରେ ଶ୍ରମିକମାନଙ୍କ ଅର୍ଥନୈତିକ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିଟି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ସେ କହିଥିଲେ । ବାଲେଶ୍ୱର ଶିଳ୍ପାୟନରେ ଋଗ୍ଣ ସ୍ଥିତିକୁ ନେଇ ସେ ଉଦବେଗ ପ୍ରକାଶ ସହ ସମସ୍ତଙ୍କ ମିଳିତ ପ୍ରୟାସରେ ବନ୍ଦ ଶିଳ୍ପାନୁଷ୍ଠାନ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରମିକ ଦିବସ ପାଳନର ତାତ୍ପର୍ଯ୍ୟ ଓ ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିକାଶର ଦ୍ରୁତ ଅଗ୍ରଗତିରେ ଶ୍ରମିକ ସମାଜର ଅବଦାନକୁ ଗୁରୁତ୍ୱ ଦେଇ ସେମାନଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାର ସମ୍ବେଦନଶୀଳ ହେବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଓ ଶ୍ରମିକ ନେତା ଶାନ୍ତନୁ ଦାସ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶ୍ରମିକମାନଙ୍କ ହକ୍ ପ୍ରଦାନ ଦିଗରେ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ ବୋଲି କହିଥିଲେ । ହିନ୍ଦ୍ ମଜଦୁର ସଭାର ଜିଲା ସଭାପତି ଅରୁଣ କୁମାର ସ୍ୱାଇଁ ଏଥିରେ ସଭାପତିତ୍ୱ କରିଥିବା ବେଳେ ଶିବ ପ୍ରସାଦ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରମିକ ନେତା ବିରଞ୍ôଚ ନାରାୟଣ ଦାସ, ପଞ୍ଚୁଗୋପାଳ କୋଇଲା ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ । ଉପ-ସଭାପତି ଶମ୍ଭୁନାଥ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବର୍ଗର ବହୁ ଶ୍ରମିକ ଏହି ଉତ୍ସବରେ ଉପସ୍ଥିତ ଥିଲେ ।


