ଝିଅର ଜନ୍ମ ଦିନ ପାଳନ ପରେ ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା
ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁର ନିକଟସ୍ଥ ଆମ୍ବପୁଆ ନୂଆଁ ସାହିରେ ଜନୈକା ମହିଳା କନେଷ୍ଟବଳ ଯାଜ୍ଞସିନୀ ବେହେରା (୨୭) ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ବ୍ରହ୍ମପୁର ପୁଲିସ ଜିଲ୍ଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି। ପରେ ଗୋପାଳପୁର ପୁଲିସ ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଏହା ନେଇ ୧୬/୨୧ରେ ଏକ ଅପମୃତ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ କହିଛନ୍ତି। ମୃତ ଯାଜ୍ଞସିନୀଙ୍କ ସ୍ଵାମୀ ଟି. ଜନାର୍ଦ୍ଦନ ଜେନା ମଧ୍ୟ ଏପିଆର କନେଷ୍ଟବଳ ଭାବେ କାର୍ଯ୍ୟରତ ରହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ଗତ ଶୁକ୍ରବାର ଦିନ ନବ ଜନ୍ମିତ ଝିଅର ୨୧ ଦିନ ପାଳନ କରାଯାଇଥିଲା। ଘରେ ଉଭୟ ପରିବାରର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। କୌଣସି କାରଣରୁ ଯାଜ୍ଞସିନୀ ସମସ୍ତେ ଶୋଇ ପଡିବା ପରେ ରାତିରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ତେବେ ଶବ ପୋଷ୍ଟମଟମ୍ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ।


