ଟଙ୍କାକିଆ ଚାଉଳ ନେଲା ଭିନ୍ନକ୍ଷମ ପୁଅର ଜୀବନ ।

ପୋଲସରା (ଅନିଲ କୁମାର ମହାରଣା): ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମରେ ଟଙ୍କାକିଆ ଚାଉଳକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉତ୍ୟକ୍ତ ବାପାର ଠେଙ୍ଗା ମାଡ଼ରେ ଭିନ୍ନକ୍ଷମ ପୁଅ ମୃତ୍ୟୁ ବରଣ କରିଛି। ଘଟଣାରୁ ଜଣାପଡିଛିଯେ କଳମ୍ବ ଗ୍ରାମର ଦୁର୍ଗାମାଧବ ସାହିରେ ବାପା ବଳରାମ ପ୍ରଧାନ ନିଜ ସ୍ତ୍ରୀଙ୍କ ସହ ନିଜ ଘରେ ରହୁଥିବା ବେଳେ ଭିନ୍ନକ୍ଷମ ପୁଅ ଅନୀଳ ପ୍ରଧାନ ନିଜ ସ୍ତ୍ରୀ ଗୀତାଞ୍ଜଳୀଙ୍କ ସହ ଅନ୍ୟ ଏକ ସାହିରେ ଭଡ଼ା ଘରେ ରହୁଥିଲେ । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ପରିବାର ୪ ଜଣ ସଦସ୍ୟଙ୍କ ନାମରେ ଗୋଟିଏ ରାସନ କାର୍ଡ଼ ହୋଇଅଛି। ଏକ ଟଙ୍କାରେ ମିଳୁଥିବା ସମସ୍ତ ଚାଉଳକୁ ବାପା ବଳରାମ ପ୍ରଧାନ ନେଉଥିବା ବେଳେ ଭିନ୍ନକ୍ଷମ ପୁଅ ଓ ବୋହୂଙ୍କୁ କିଛି ମଧ୍ୟ ଚାଉଳ ଦେଉନଥିବା ନେଇ ପୁଅ ଅଭିଯୋଗ କରି ଆସୁଥିଲେ। ଯାହାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ସର୍ବଦା ଝଗଡ଼ା ଲାଗି ରହୁଥିଲା। ଏହି ଟଙ୍କାକିଆ ଚାଉଳ ନେଇ ଭିନ୍ନକ୍ଷମ ପୁଅ ଅନୀଳ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରହି ବଡ଼ ଦୁର୍ଦ୍ଦିନରେ ଚଳୁଥିଲେ। ଗୁରୁବାର ଦିନ ଅନିଳ ଚାଉଳ ବଣ୍ଟନ କେନ୍ଦ୍ରରେ ବହୁ ପୂର୍ବରୁ ଜଗି ରହିଥିଲା ନିଜର ଟଙ୍କାକିଆ ଚାଉଳ ନେବା ପାଇଁ। ଏହା ଜାଣିବା ପରେ ବାପା ବଳରାମ ପ୍ରଧାନ ଭିନ୍ନକ୍ଷମ ପୁଅ ଅନୀଳଙ୍କୁ ଟଙ୍କାକିଆ ଚାଉଳ ଦେବା ବଦଳରେ ଅତି ନୃଶଂସ ଭାବେ ପୁଅକୁ ଠେଙ୍ଗାରେ ପିଟି ଘଟଣା ସ୍ଥଳ ଛାଡ଼ି ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ପଡିଥିବା ଅନୀଳଙ୍କୁ ଗ୍ରାମବାସୀ ପୋଲସରା ମେଡ଼ିକାଲକୁ ଆଣିଥିବା ବେଳେ ଡାକ୍ତର ଅନୀଳକୁ ମୃତ ଘୋଷଣା କରିଥିଲେ । ମୃତ ଅନୀଳଙ୍କ ସ୍ତ୍ରୀ ଗୀତାଞ୍ଜଳୀ ପ୍ରଧାନ ପୋଲସରା ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଶବକୁ ଜବତ କରି ପୋଲସରା ଥାନା କେଶ ନଂ ୨୪/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି। ଏଣେ ପୋଲିସ ବାପା ବଳରାମ ପ୍ରଧାନକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ