ଟାଟାଷ୍ଟିଲ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଯୋଡ଼ା ,(ଯୁଗାଦ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ଯୋଡା ଭ୍ୟାଲ କ୍ଲବ ଠାରେ ମଙ୍ଗଳବାର ଦିନ ଟାଟାଷ୍ଟିଲ ପକ୍ଷରୁ ଦୁର୍ନୀତିର ମୁଳୋତ୍ପାଟନ ଓ କର୍ମଚାରୀମାନଙ୍କ ନୈତିକ ଆଚରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସଚେତନତା ସପ୍ତାହ’ର ଶୁଭାରମ୍ଭ କରାଯାଇଛି । ସତର୍କତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସପ୍ତାହବ୍ୟାପୀ ଆୟୋଜିତ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା କର୍ମଚାରୀମାନଙ୍କୁ ସଚେତନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସଚେତନତା ସପ୍ତାହ ପାଳନ ଅନ୍ତର୍ଗତ ଚଳିତ ବର୍ଷର ବିଷୟବସ୍ତୁ ‘ସାଧୁତା-ଜୀବନର ଏକ ଶୈଳୀ’ ଉପରେ ଏହି ସଚେତନତା ଅଧିବେସନ ଆୟୋଜିତ ହୋଇଛି । ଅଧିବେସନକୁ ଟାଟା ଷ୍ଟିଲ ଖଣ୍ଡବନ୍ଧ ଚିଫ୍ ଶ୍ରୀ ଶିରିଶ ଶେଖର, ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଶୋକ କୁମାର ରୟ, ଉପକରଣ ଓ ରକ୍ଷଣାବେକ୍ଷଣ ବିଭାଗ ମୁଖ୍ୟ ଶ୍ରୀ ହିମାଂଶୁ ଷଡଙ୍ଗୀ, ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସ ମୁଖ୍ୟ ଶ୍ରୀ ଅମିତ ଦୁବେ ଏବଂ ଯୋଡ଼ା ଅପରେସନ୍ସ ଓ ରକ୍ଷଣାବେକ୍ଷଣ ମୁଖ୍ୟ (ଡ୍ରାଏ ଓ ଲଜିଷ୍ଟିକ୍) ଶ୍ରୀ ନାରାୟଣ ଶର୍ମାଙ୍କ ଉପସ୍ଥିତିିରେ ଉଦ୍ଘାଟନ କରାଯାଇଥିଲା । କର୍ମଚାରୀଙ୍କ ଦ୍ୱାରା ସାଧୁତାର ଶପଥ ପାଠ ସହିତ ଉକ୍ତ ସଚେତନତା ଅଧିବେସନ ଆରମ୍ଭ ହୋଇଥିଲା । ଏହାପରେ ଜାମସେଦପୁର ସତର୍କତା ବିଭାଗ ବରିଷ୍ଠ ପ୍ରବନ୍ଧକ ଶ୍ରୀ ଅମିତ ପ୍ରିୟଦର୍ଶନ ଓ ପ୍ରବନ୍ଧକ ରାଜେଶ କୁମାର ଚୌଧୁରୀ ଏଥିରେ ଭାଗ ନେଇଥିବା କର୍ମଚାରୀମାନଙ୍କୁ ଠକାମିର ବିଭିନ୍ନ ଦିଗ ଓ ଏହାକୁ ମୁକାବିଲା କରିବା ପାଇଁ ସତର୍କ ରହିବାକୁ କହିଥିଲେ । ଉକ୍ତ ଅଧିବେସନରେ ଅଧିକାରୀମାନେ କର୍ମଚାରୀମାନଙ୍କୁ ବିଭିନ୍ନ ସମସ୍ୟାର ମୁକାବିଲା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ଶିରିଶ ଶେଖର କହିଥିଲେ ଯେ, “ସାଧୁତା, ସଚ୍ଚୋଟତା ଓ ପାରଦର୍ଶିତା କାରଣରୁ ଟାଟା ଷ୍ଟିଲର ଉତ୍କର୍ଷ ଓ ପ୍ରଗତି ସମ୍ଭବ ହୋଇପାରିଛି । କମ୍ପାନୀ ଏହାର ନୈତିକତା ଓ ମୂଲ୍ୟବୋଧକୁ ନେଇ ଭବିଷ୍ୟତରେ ମଧ୍ୟ ଆଗକୁ ଅଗ୍ରସର ହେବ । ଏହି ଅବସରରେ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।


