ଟାଟା ଷ୍ଟିଲ ଦ୍ୱାରା ସେଣ୍ଟ ଟେରେସା ସ୍କୁଲରେ ନିର୍ମିତ ୪ଟି ଅତିରିକ୍ତ ଶ୍ରେଣୀଗୃହ ଉଦ୍ଘାଟିତ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲାର ଯୋଡ଼ାଠାରେ ଉନ୍ନତମାନର ଭିତ୍ତିଭୂମି ଯୋଗାଇ ଦେବା ଲକ୍ଷ୍ୟରେ ଟାଟା ଷ୍ଟିଲର ସିଏସ୍ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ାଠାରେ ଅବସ୍ଥିତ ସେଣ୍ଟ ଟେରେସା ସ୍କୁଲରେ ନିର୍ମିତ ୪ଟି ଅତିରିକ୍ତ ଶ୍ରେଣୀ ଗୃହ ଉଦ୍ଘାଟିତ ହୋଇଯାଇଛି । ଚମ୍ପୁଆର ଉପ ଜିଲ୍ଲାପାଳ ଓଏଏସ୍ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୋଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଯୋଡ଼ା ସେଣ୍ଟ ଟେରେସା ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ମାରିଏଟ୍ ଓ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାରଙ୍କ ଉପସ୍ଥିତିରେ ଶୁକ୍ରବାରଦିନ ସେଣ୍ଟ ଟେରେସା ସ୍କୁଲର ଏହି ୪ଟି ଶ୍ରେଣୀ ଗୃହକୁ ଉଦ୍ଘାଟନ କରିଥିଲେ । ଟାଟା ଷ୍ଟିଲର ବ୍ରାଣ୍ଡ ନେଷ୍ଟ-ଇନ୍ ଦ୍ୱାରା ପ୍ରସ୍ତୁତ ପ୍ରି-ଫେବ୍ରିକେଟେଡ଼ ଢାଞ୍ଚା ଦ୍ୱାରା ନିର୍ମିତ ଉକ୍ତ ଶ୍ରେଣୀଗୃହଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୁରଣ କରିବାରେ ସହାୟକ ହେବ । ଏଠାରେ ସୂଚନାଯୋଗ୍ୟ ଯେ, ‘ନେଷ୍ଟ-ଇନ୍’, ଏକ ଉନ୍ନତ ଆସନ୍ତାକାଲି ପାଇଁ ସମସ୍ତଙ୍କୁ ଆଧୁନିକ ସୁବିଧା ସୁଯୋଗ ନିମନ୍ତେ ସମର୍ଥ କରିବା ଦିଗରେ ଟାଟା ଷ୍ଟିଲର ଦୂରଦୃଷ୍ଟିର ଏକ ଅଭିବ୍ୟକ୍ତି । ଭାରତ ଏକ ଆଧୁନିକ ଯୁଗ ଆଡକୁ ଅଗ୍ରସର ହେଉଥିବାରୁ ଏକ ନୂତନ, ଅଭିନବ ଓ ଦ୍ରୁତ ନିର୍ମାଣ ପାଇଁ ସମାଧାନର ଆବଶ୍ୟକତା ରହିଛି, ଯାହା ନେଷ୍ଟ-ଇନ୍ ଦ୍ୱାରା ଅଧିକ ତ୍ୱରାନ୍ୱିତ ହୋଇପାରିବ । ବିଭିନ୍ନ ପ୍ରକାର ଇସ୍ପାତ ଆଧାରିତ ମଡ୍ୟୁଲାର ନିର୍ମାଣ ସମାଧାନ ମାଧ୍ୟମରେ ଟାଟା ଷ୍ଟିଲର ନେଷ୍ଟ-ଇନ୍ ରାଷ୍ଟ୍ରର ଅଗ୍ରଗତିରେ ନିଜର ଉପସ୍ଥିତି ଜାହିର କରିପାରିଛି । ଔଦ୍ୟୋଗିକ ଭିତ୍ତିଭୂମି, ଗୃହ, ସାନିଟେସନ୍, ପୋର୍ଟେବୁଲ କେବିନ୍ ଏବଂ ଜୀବନଶୈଳୀ ପାଇଁ ସମାଧାନ ଭଳି କ୍ଷେତ୍ରରେ, ବିଭିନ୍ନ ପ୍ରକାର ପ୍ରି-ଫେବ୍ରିକେଟେଡ଼ ସଲ୍ୟୁସନ୍ ମାଧ୍ୟମରେ ନେଷ୍ଟ-ଇନ୍ ଆଜି ଭାରତର ୨୬ଟି ରାଜ୍ୟକୁ ସେବା ପ୍ରଦାନ କରିବା ସହିତ ଭାରତର ଲକ୍ଷ ଲକ୍ଷ ଲୋକଙ୍କୁ ଏକ ଉନ୍ନତମାନର ଜୀବନ ଯୋଗାଇ ଦେବାରେ ସହାୟକ ହେଉଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଓଏମ୍କ୍ୟୁ ଡିଭିଜନ୍ର ସିଏସ୍ଆର ବିଭାଗ ମୁଖ୍ୟ ଶ୍ରୀ ଅନୀଲ ଓରାଅଁଙ୍କ ସହିତ ଟାଟା ଷ୍ଟିଲ ଫାଉଣ୍ଡେସନ୍ର ଅନ୍ୟ ଅଧିକାରୀମାନେ ଓ ଯୋଡ଼ା ସେଣ୍ଟ ଟେରେସା ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।


