ଟେଷ୍ଟ୍‌ ଅଭ୍ୟାସରେ ଟିମ୍ ଇଣ୍ଡିଆ, ଆଡିଲେଡ୍ ବଦଳାଇବାକୁ ‘ସିଏ’ ଅନିଚ୍ଛୁକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଭାରତୀୟ କ୍ରିକେଟ୍ ଦଳ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳାରୁ ହିଁ ଅଭିଯାନ ଆରମ୍ଭ କରିବ। କୋହଲି ବାହିନୀ କିନ୍ତୁ ଏବେ ଟେଷ୍ଟ୍ ଅଭ୍ୟାସ ଉପରେ ଅଧିକ ଗୁରୁତ୍ବ ଦେଉଛି। ମଙ୍ଗଳବାର ସିଡ୍‌ନିରେ ଭାରତୀୟ ଖେଳାଳିମାନେ ଲମ୍ବା ଫର୍ମାଟ୍‌ ଲାଗି ଉଭୟ ଲାଲ୍ ଓ ‌ଗୋଲାପି ବଲ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଆଜିର ଅଭ୍ୟାସ ଅଧିବେସନରେ ତିନିଟି ଯାକ ଦଳ (ଦିନିକିଆ, ଟ୍ବେଣ୍ଟି-୨୦ ଓ ଟେଷ୍ଟ୍)ରେ ସ୍ଥାନ ପାଇଥିବା ଭାରତୀୟ ଖେଳାଳିମାନେ ପୂର୍ଣ୍ଣ ମାତ୍ରାରେ ଅଂଶଗ୍ରହଣ କରିଥିଲେ। ମହମ୍ମଦ ସାମିଙ୍କ ଭଳି ବରିଷ୍ଠ ଦ୍ରୁତ ବୋଲରଙ୍କ ସହ ମହମ୍ମଦ ସିରାଜଙ୍କ ଭଳି ଯୁବ ତାରକା ଅଧିନାୟକ କୋହଲିଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୋଲିଂ କରିଥିଲେ। ଯାହାର ଏକ ଭିଡିଓ କୋହଲି ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲେ। କୋହଲି ଅବଶ୍ୟ କେବଳ ଆଡି‌ଲେଡ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ ଖେଳିବେ। ଦିବା-ରାତ୍ର ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟେଷ୍ଟ୍ ପରେ ପ୍ରଥମ ସନ୍ତାନ ଜନ୍ମ ଲାଗି ଭାରତ ଫେରି ଆସିବେ ସେ। ତଥାପି କୋହଲିଙ୍କ ଏକାଗ୍ରତା ତି‌ଳେ ମାତ୍ର ଦୋହଲିଥିବା ଭଳି ମନେ ହେଉ ନଥିଲା । ଭିଡିଓରେ ଭାରତୀୟ ଖେଳାଳିମାନେ ସିଡ୍‌ନି ପଡ଼ିଆରେ କେନ୍ଦ୍ରୀୟ ପିଚ୍‌କୁ ବ୍ୟବହାର କରିଥିଲେ। ନନ୍‌ଷ୍ଟ୍ରାଇକର ପଟେ ମଧ୍ୟ ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଖିବାକୁ ମିଳିଥିଲା। ଯାହା ପାରମ୍ପରିକ ନେଟ୍ ଅଭ୍ୟାସଠାରୁ ପୂରା ଭିନ୍ନ ଥିଲା। ନିକଟରେ ‌ସରିଥିବା ଆଇପିଏଲ୍ ପାଇଁ ଭାରତୀୟ ଖେଳାଳିମାନେ ପାଖାପାଖି ଦୁଇ ମାସ ଧରି ଧଳା ବଲ୍‌ରେ ଖେଳିଥିବାରୁ ଲାଲ୍ ଓ ଗୋଲାପି ବଲ୍‌ରେ ପୁଣି ଥରେ ଅଭ୍ୟସ୍ତ ହେବା ଲାଗି ଏଭଳି ଅଭ୍ୟାସ କରୁଥିବା ସ୍ପଷ୍ଟ ବାରି ହେଉଥିଲା। ସୀମିତ ଓଭର ଦଳର ଉପଅଧିନାୟକ କେଏଲ୍ ରାହୁଲ ଗୋଲାପି ବଲ୍‌ରେ ଢେର ସମୟ ଅଭ୍ୟାସ କରୁଥିବାରୁ ସେ ଟେଷ୍ଟ୍ ଦଳରେ ସାମିଲ ହେବାର ସଙ୍କେତ ମିଳିଛି। ବିସିସିଆଇ ପ୍ରକାଶ କରିଥିବା ଅନ୍ୟ ଏକ ଭିଡିଓରେ ସାମି ଅଦଳ ବଦଳ ଭାବେ ସିରାଜଙ୍କ ସହ ବଲ୍ ପକାଉଥିବା ଦେଖିବାକୁ ମିଳୁଛି। ୩୦ ବର୍ଷୀୟ ସାମି ଚଳିତ ବର୍ଷର ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ୧୪ ମ୍ୟାଚ୍ ଖେଳି ୨୦ ୱିକେଟ୍ କରାୟତ କରିଥିଲେ। ସେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତର ସମସ୍ତ ତିନିଟି ଯାକ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତାମାସ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ବେଳେ ଭାରତ ମଧ୍ୟ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବ। ଅନ୍ୟପକ୍ଷରେ କେବଳ ଟେଷ୍ଟ୍ ଦଳରେ ଥିବା ୨୬ ବର୍ଷୀୟ ସିରାଜ ଭାରତ ପକ୍ଷରୁ ଗୋଟିଏ ଦିନିକିଆ ଏବଂ ତିନିଟି ଟ୍ବେଣ୍ଟି-୨୦ ବି ଖେଳିଛନ୍ତି। ଏଥରର ଆଇପିଏଲ୍‌ରେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୯ ମ୍ୟାଚ୍ ଖେଳି ୧୧ ୱିକେଟ୍ ଅକ୍ତିଆର କରିଥିଲେ। ସୋମବାର ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଅଷ୍ଟ୍ରେଲିଆର ଜୀବନ୍ତ ଓ ଗତି ପ୍ରଦାନକାରୀ ପିଚ୍ ପାଇଁ ଟେନିସ୍ ବଲ୍‌ରେ ଅଭ୍ୟାସ କରିଥିଲେ। ଯାହାର ଭିଡିଓ ବିସିସିଆଇ ନିଜ ଟ୍ବିଟର ପୃଷ୍ଠାରେ ବାଣ୍ଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ