ଟ୍ରମ୍ଫଙ୍କ ଅଭିଯୋଗ; ଅନ୍ୟ ଦେଶ ଲୁଚାଉଛନ୍ତି ମୃତକଙ୍କ ସଂଖ୍ୟା
ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଅନ୍ୟ ଦେଶମାନେ କରୋନା ଯୋଗୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଠିକ ପ୍ରକାଶ କରୁନାହାନ୍ତି । ସେମାନେ ଏହାକୁ ଲୁଚାଉଛନ୍ତି । କରୋନା ଜନିତ ମୃତକଙ୍କ ସଂଖ୍ୟାରେ ଆମେରିକା ଅନ୍ୟ ଦେଶମାନଙ୍କୁ ପଛରେ ପକାଇଥିବାରୁ ତା ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି । ଏ ପର୍ଯ୍ୟନ୍ତ କରୋନା ଯୋଗୁଁ ସମଗ୍ର ବିଶ୍ୱରେ ୧,୩୦,୦୦୦ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ କେବଳ ଆମେରିକାରେ ୨୭,୦୦୦ ଲୋକ ମୃତ୍ୟୁ ବରଣ କରିଛନ୍ତି । ଆମେରିକାରେ ମୃତକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ କରୋନା ଜନିତ ମୃତକଙ୍କ ସଂଖ୍ୟାର ୨୦% ହେବ । ଆମେରିକା ଜନିତ ପରିସ୍ଥିତିକୁ ଟ୍ରମ୍ପ ଠିକ୍ ଭାବେ ପରିଚାଳନା କରିପାରୁନାହାନ୍ତି ବୋଲି କେତେକ ମହଲରୁ ଅଭିଯୋଗ କରାଯାଉଥିବା ପରିପ୍ରେକ୍ଷୀରେ ସେ ଏହି ବୟାନ ଦେଇଛନ୍ତି । ବିଶେଷ କରି ସେ ଏହି ପ୍ରସଙ୍ଗରେ ଚୀନକୁ ଟାର୍ଗେଟ କରିଛନ୍ତି । କାରଣ ଚୀନରେ ମାତ୍ର ୩୩୪୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସେଠାକାର ସରକାର ଦାବି କରୁଛନ୍ତି ଯାହାକୁ ସମସ୍ତେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଟ୍ରମ୍ପ ମଧ୍ୟ ଅନୁରୂପ ମତ ଦେଇଛନ୍ତି ।


