ଟ୍ରାଫିକ ଅବ୍ୟବସ୍ଥା ପାଇଁ ଅଟକିଲା ଆମ୍ବୁଲାନ୍ସ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଂଜ ଜିଲ୍ଲାର ସଦର ମହକୁମା କରଂଜିଆ ସହରରେ ଦୀର୍ଘ ଦିନ ହେବ ଟ୍ରାଫିକ ଅବ୍ୟବସ୍ଥା ଲାଗିରହିଛି । ଟ୍ରାଫିକ ସମସ୍ୟା ସୁଧାର କରିବା ନିମନ୍ତେ କିଛି ମାସ ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟକୁ ପ୍ରବେଶ କରୁଥିବା ପ୍ରମୁଖ ରାସ୍ତା ଗୁଡିକରେ ସହର ମଧ୍ୟକୁ ଭାରି ଜାନ ପ୍ରବେଶ ଉପରେ ସକାଳ ୮ ଘଟିକା ରୁ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ନିଷେଧ କରାଯାଇଥିବା ବୋର୍ଡ ଲଗା ଯାଇଥିଲା । ଏହି ନିୟମକୁ କିଛି ସ୍ଥାନୀୟ ଅମାନିଆ ବେପାରୀ ସମ୍ପୂର୍ଣ୍ଣ ବେଖାତିର କରି ଭାରି ଯାନ ଗୁଡ଼ିକ ମଧ୍ୟାହ୍ନ ସମୟରେ ସହର ମଧ୍ୟକୁ ପ୍ରବେଶ କରାଇ ଟ୍ରାଫିକ ସମସ୍ୟା ଉତ୍ପନ୍ନ କରୁଛନ୍ତି । ତେବେ ଆଜି ମଧ୍ୟାହ୍ନ ସମୟରେ ଫିଲ୍ମ ହଲ ଛକ ନିକଟରେ ଏକ ଭାରି ଯାନ ପାଇଁ ଗୋଟିଏ ୧୦୮ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ଥିବା ଦେଖାଯାଇଥିଲା । ବଜାର ମୁଖ୍ୟ ରାସ୍ତା ଟି ଅମ୍ବିକା ମନ୍ଦିର ନିକଟରୁ ଉପଖଣ୍ଡ ଚିକିତ୍ସାଳୟ ନିକଟ ପର୍ଯ୍ୟନ୍ତ କିଛି ବଡ଼ ବଡିଆ ବେପାରୀଙ୍କ କବଜାରେ ଥିବାରୁ ରାସ୍ତା ଟି କ୍ରମଶଃ ସଂକୀର୍ଣ୍ଣ ହେବାକୁ ବସିଲାଣି । ଏପରିକି କେତେକ ଦୋକାନୀ ନିଜ ଦୋକାନ ସାମଗ୍ରୀ ରାସ୍ତା ଉପରେ ରଖୁଥିବା ମଧ୍ୟ ଏକ ମୁଖ୍ୟ ସମସ୍ୟା ହୋଇଛି! ଏହି ରାସ୍ତା ପାଇଁ ସହର ର ସମସ୍ତ ପ୍ରମୁଖ ଛକ ଗୁଡିକରେ ସକାଳ ୯ ଘଟିକା ଠାରୁ ଟ୍ରାଫିକ ସମସ୍ୟା ଲାଗିରହୁଛି । ବଜାର କୁ ଟ୍ରାଫିକ ସମସ୍ୟା ରୁ ମୁକ୍ତି ଦେବା ନିମନ୍ତେ ଏକ ବାଇପାସ୍ ରାସ୍ତା ନିର୍ମାଣ କରାଯାଇଥିବା ସତ୍ତ୍ବେ ଭାରି ଯାନ ଗୁଡ଼ିକ ସ୍ଥାନୀୟ ପ୍ରଶାସନ ର ନିୟମକୁ ଖିଲାପ କରି ଭିଡ଼ ସମୟରେ ବଜାର ମଧ୍ୟକୁ ପ୍ରବେଶ କରୁଥିବାରୁ ଟ୍ରାଫିକ ସମସ୍ୟା ଉତ୍ପନ୍ନ ହେବାସହିତ ଦୁର୍ଘଟଣା ବୃଦ୍ଧି ପାଉଛି ।କେବଳ ଘୋଷଣା ମଧ୍ୟରେ ସୀମିତ ରହିଛି ବଜାର ମଧ୍ୟ କୁ ଭାରୀଯାନ ଚଳା ଚଳ ନିଷିଦ୍ଧ ଘୋଷଣା!ଯାହା ଫଳରେ ସାଧାରଣରେ ଜନ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମକୁ ଅଧିକାରୀ ମାନେ ପ୍ରତ୍ୟହ ତଦାରଖ କରିବା ସହିତ ରାସ୍ତା କବଜା କରି ଟ୍ରାଫିକ ସମସ୍ୟା ଉତ୍ପନ୍ନ କରୁଥିବା ବଡ଼ ବ୍ୟବସାୟୀ ଓ ରାସ୍ତା ଉପରେ ସାମଗ୍ରୀ ରଖୁଥିବା ଦୋକାନୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଲୋକ ମାନେ ମତବ୍ୟକ୍ତ କରିଛନ୍ତି ।ଦେଖିବାକୁ ବାକି ରହିଲା ପ୍ରଶାସନ ଏହି ଘଟଣା କୁ କେତେ ଗୁରୁତ୍ୱ ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରୁଛି


