ଡକାୟତି ଯୋଜନା ପଣ୍ଡ : ୪ ଗିରଫ,ବହୁ ମାରଣାସ୍ତ୍ର ଜବତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ବାମେବାରୀ ଥାନା ପୋଲିସ୍ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଏଥିରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୋଟିଏ ଟାଟା ସଫାରି ଗାଡି ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିବା ଜଣାପଡିଛି । ବାମେବାରୀ ଥାନା ଓଆଇସି ଅମିତାବ୍ ଦାସ୍ ସୂଚନା ଦେଇ କହିଛନ୍ତି ଯେ, ବାମେବାରୀ ଥାନା ଅନ୍ତର୍ଗତ ବନ୍ଧୁଆବେଡା ଖେଳ ପଡିଆଠାରେ ରବିବାର ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଏକ ଟାଟା ସଫାରି ଗାଡି ନଂ ଜେଏଚ ୦୫ ବି ୧୪୨୭ ରେ ଯୋଡା ଅଂଚଳର ବିନ୍ଦାସ୍ ଖାଲକୋ, ଭରତ ଦାସ, ରୋସନ କର୍ମକାର ଓ ରଂଜିତ ଦାସ୍ ଯାଇ ସେଠାରେ କୌଣସି ଏକ ଡକାୟତି ପାଇଁ ଯୋଜନା କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାମେବାରୀ ଓଆଇସି ଅମିତାବ୍ ଦାସ୍ଙ୍କ ନେତୃତ୍ୱରେ ଥାନା ଏସଆଇ ଜନ୍ ପଟ୍ଟନାୟକ ସଦଳବଳେ ସେଠାରେ ଚଢାଉ କରି ଉକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନେ ବ୍ୟବହାର କରିଥିବା ଟାଟା ସଫାରି ଗାଡି ସହ ତାଙ୍କ ଠାରୁ ଭୁଜାଲି, ଲୁହା ରଡ୍ , ଛୁରି , ସକପଚର ପାଇପି ପ୍ରଭୃତି ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଥିଲେ । ପୋଲିସ ଉକ୍ତ ଅଭିଯୁକ୍ତଙ୍କ ବିଷୟରେ ଅଧିକ ତନାଘନା କରିବାରୁ ସେମାନଙ୍କ ନାମରେ ଯୋଡା ଥାନା, ବଡବିଲ ଥାନା, ବଲାଣି ଥାନାରେ ୬ ରୁ ୭ ଟି ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଥିବା ଜାଣିବାକୁ ପାଇଥିବା ଓଆଇସି ଅମିତାବ୍ ଦାସ ସୂଚନା ଦେଇଛନ୍ତି । ବାମେବାରୀ ଥାନାରେ ଏନେଇ କେଶ୍ ନଂ ୧୬/୨୦୨୦ , ଦଫା ୩୯୯, ୪୦୨ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।


