ସ୍ମାର୍ଟ ବିଦ୍ୟାଳୟ କାମ ସରି ବିତିଲାଣି ୭ ମାସ : ଠିକାଦାରଙ୍କ ଟଙ୍କା ନ ମିଳିବାରୁ ଶୌଚାଳୟରେ ତାଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକ ଉର୍ଣ୍ଣତିକରଣ ଓ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ପ୍ରତ୍ୟେକ ଜିଲ୍ଲାରେ ସ୍ମାର୍ଟ ଶ୍ରେଣୀ କକ୍ଷ, ବଗିଚା, ଶୌଚାଳୟ, ଖେଳ ପଡ଼ିଆ ,ପାନୀୟ ଜଳ ଆଦି ନିର୍ମାଣ ଓ ମରାମତି ପାଇଁ ଖର୍ଚ କରୁଛନ୍ତି।କିଛି ମାସ ତଳେ ଗଜପତି ଜିଲ୍ଲାର କେତେକ ସ୍ମାର୍ଟ ବିଦ୍ୟାଳୟ ଗୁଡ଼ିକୁ ଆଭାସି ମାଧ୍ୟମରେ ରାଜ୍ୟ ସରକାର ଉଦଘାଟନ କରିଥିଲେ । ସେଥିମଧ୍ୟରୁ ମୋହନା ବ୍ଲକର ଶିକୁଳିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଉଦଘାଟନ ହୋଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଏହି ବିଦ୍ୟାଳୟକୁ ରୂପାନ୍ତରିତ କରି ତିନି ମାସ ମଧ୍ୟରେ କାମ ସାରିବାକୁ ତାଗିତ କରିଥିଲେ ପୂର୍ବତନ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଅନାମ ଚରଣ ପାତ୍ର। କାମ କରିବା ପାଇଁ ଦାୟିତ୍ଵ ଦିଆଯାଇଥିଲା ପୂର୍ବତନ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ । ନିର୍ଦ୍ଧାରିତ ସମୟରେ କାମ ନ ସରିଲେ ଚାକିରୀରୁ ବହିଷ୍କାର କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ବାଣୀ ଶୁଣାଇଥିଲେ। ଫଳରେ ଯନ୍ତ୍ରୀ ରାତି ଦିନ ଏକ କରି ପରିବାରକୁ ଭୁଲି ଠିକାଦାରଙ୍କୁ ନେଇ କାମ କରିଥିଲେ । ବିବ୍ୟାଳୟର ଶ୍ରେଣୀ ଗୃହ ମରାମତି, ସାଇକେଲ ଷ୍ଟାଣ୍ଡ, ଶୌଚାଳୟ, ଖେଳ ପଡ଼ିଆ, ହାତ ଧୁଆ ବେସିନ, ବଗିଚା, ଲାଇବ୍ରେରୀ ଗୃହ ଆଦି ନିର୍ମାଣ ଓ ମରାମତି ବାବଦରେ ଖର୍ଚ୍ଚ ହୋଇଥିଲା ୭୮ ଲକ୍ଷ ଟଙ୍କା।ସେଥିମଧ୍ୟରୁ ମିଳିଛି ମାତ୍ର ୪୯ ଲକ୍ଷ ଟଙ୍କା । ଏହା ମଧ୍ୟରେ ୭ମାସ ବିତିଯାଇଥିଲେ ମଧ୍ୟ ମିଳିବାକୁ ଥିବା ୨୭ ଲକ୍ଷ ଟଙ୍କା ମିଳି ପାରିନି।ଫଳରେ ଠିକାଦାର କୁଲି, ମଜୁରିଆଙ୍କୁ ଟଙ୍କା ଦେଇ ପାରୁ ନାହାନ୍ତି। ରାତି ପାହିଲେ ପ୍ରତ୍ୟକ ଦିନ ଠିକାଦାର ଅରୁଣ ଗୌଡ଼, ଶଶାଙ୍କ ପାଣିଗ୍ରାହୀ, ସାନୁ ଦଳାଙ୍କ ଘର ସମ୍ମୁଖକୁ ଆସି ସିମେଣ୍ଟ , ଲୁହା ଖାଡ଼ି ଦୋକାନି,କୁଲି ମଜୁରିଆ ମାନେ ଗାଳି ଗୁଲଜ କରି ଫେରୁଛନ୍ତି। ଏଭଳି ସମସ୍ୟାକୁ ନେଇ ଠିକାଦାର ମାନେ ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ଶୌଚାଳୟ ଦୁଇଟିରେ ତାଲା ପକାଇ ଦେଇଛନ୍ତି । ଠିକାଦାର ମାନେ ବକେୟା ଟଙ୍କା ମିଳିବା ପାଇଁ ବ୍ଲକକୁ ଯାଇ ବିଡ଼ିଓ ତପସ୍ଵିନୀ ହାଁସଦାଙ୍କୁ ଗୁହାରି ଜଣାଇଲେ ମଧ୍ୟ କୌଣସୀ ସୁଫଳ ନ ମିଳିବାରୁ ଏପରି କରିଥିବା କହିଛନ୍ତି। ଅନ୍ୟପଟେ ଗୋଟିଏ ସପ୍ତାହ ମଧ୍ୟରେ ଯଦି ଟଙ୍କା ନ ମିଳେ ତେବେ ବିଦ୍ୟାଳୟରେ ତାଲା ପକାଇବା ପାଇଁ ଠିକାଦାର ମାନେ ଚେତାବନୀ ମଧ୍ୟ ଦେଇଛନ୍ତି । ଅପରପକ୍ଷେ ବିଦ୍ୟାଳୟର ଶୌଚାଳୟରେ ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀ ମାନେ ସ୍ନାନ ଶୌଚ କରିବା ପାଇଁ ବହୁ ସମସ୍ୟା ଭୋଗୁଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରି ଠିକାଦାର ମାନଙ୍କୁ ବକେୟା ଟଙ୍କା ଦେବା ଓ ତାଲା ଖୋଲିବା ପାଇଁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।


