ଡିସେମ୍ବର ୧ରୁ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

କୋଣାର୍କ : କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିବର୍ଷ ଭଳି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ରୁ ଆରମ୍ଭ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ । ୫ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ଏହି ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ । ଏଥିରେ ୬ଟି ଦେଶର ବାଲୁକାଶିଳ୍ପୀ ଯୋଗ ଦେବେ । ପାଞ୍ଚଦିନ ବ୍ୟାପି ଏକ ପୁସ୍ତକମେଳାର ମଧ୍ୟ ଆୟୋଜନ କରାଯାଇଛି । ବିଭିନ୍ନ ଦିବସରେ ଗଣଦୌଡ଼, ସାଇକ୍ଲୋଥନ୍ ଓ ସାହିତ୍ୟ ଆସର ଆୟୋଜିତ ହେବ ।
କୋଣାର୍କ ଉତ୍ସବର ପ୍ରଥମ ଦିନରେ ଓଡ଼ିଶୀ ଓ କଥକ, ଦ୍ୱିତୀୟ ଦିବସରେ ଇଣ୍ଡୋନେସିଆର ପ୍ରସିଦ୍ଧ ଲୋକନୃତ୍ୟ ଓ ଓଡ଼ିଶୀ, ତୃତୀୟ ଦିବସରେ ଓଡ଼ିଶୀ ଓ ମୋହିନିଆଟମ୍‌, ଚତୁର୍ଥ ଦିବସରେ କୁଚିପୁଡ଼ି ଓ ଓଡ଼ିଶୀ ଏବଂ ପଞ୍ଚମ ତଥା ଉଦ୍‌ଯାପନୀ ସନ୍ଧ୍ୟାରେ ଭାରତ ନାଟ୍ୟମ୍ ଓ ଓଡ଼ିଶୀ ନୃତ୍ୟ ପରିବେଷଣ ପାଇଁ ନିଷ୍ପତ୍ତି ହୋଇଛି । କୋଣାର୍କ ଉତ୍ସବ ଦେଖିବା ପାଇଁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ପ୍ୟାକେଜ ଟୁରର ବ୍ୟବସ୍ଥା ସହିତ ଯାତ୍ରୀନିବାସରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ ।
ଚଳିତବର୍ଷର ଉତ୍ସବ ଆୟୋଜନ ପାଇଁ ଆଜି କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପର୍ଯ୍ୟଟନ ସଚିବ ବିଶାଳ ଦେବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଓଡ଼ିଶା ପର୍ଯ୍ୟଟନ ନିଗମ ମୁଖ୍ୟ ପରିଚାଳକ ହେମକାନ୍ତ ସାଏ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ