ତପ୍ତପାଣି ଘାଟିରେ ଓଲଟିଲା ବସ୍- ରେଭେନ୍ସାର ୩୪ଛାତ୍ରଛାତ୍ରୀ ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ଉପଖଣ୍ଡ ପରିସରରେ ଥିବା ତପ୍ତପାଣି ଘାଟି ଠାରେ ଗତକାଲି ରାତ୍ର ପ୍ରାୟ ୯ଘଣ୍ଟା ସମୟରେ ପିକ୍ନିକ୍ ସାରି ଫେରୁଥିବା ଏକ ବସ୍ ଓଲଟି ପଡିଛି । ଏଥିରେ ୩୪ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗତକାଲି ପିକ୍ନିକ୍ ବନାଇବା ପାଇଁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମସିଏ ବିଭାଗର ଛାତ୍ରଛାତ୍ରୀ ମାନେ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ ପର୍ଯଟନ କେନ୍ଦ୍ରକୁ ଓଆର ୦୨ଏଡବ୍ଲୁ ୩୬୬୩ନମ୍ବର ବିଶିଷ୍ଟ ଏକ ଘରୋଇ ବସ୍ ରେ ଆସିଥିଲେ । ଗଣ୍ଡାହାତୀ ଠାରେ ପିକ୍ନିକ୍ ବନାଇ ମଜାମଜଲିସ କରି ଫେରୁଥିବା ବେଳେ ପାରଳାଖେମୁଣ୍ଡି ବନ ଉପଖଣ୍ଡ ପରିସରରେ ଥିବା ତପ୍ତପାଣି ଘାଟିର ବୁଲାଣିଆ ରାସ୍ତାରେ ରାତ୍ର ୯ଘଣ୍ଟା ସମୟରେ ବସ୍ ଭାରସାମ୍ୟ ହରାଇ ଘାଟି ପାଶ୍ୱର୍ରେ ଥିବା ଏକ ଖାଲ ମଧ୍ୟରେ ଓଲଟି ପଡିଥିଲା । ଏହି ସମୟରେ ବସ୍ ରେ ୬୦ଜଣ ଥିଲେ । ଏମାନଙ୍କ ମଧ୍ୟରୁ ୩୪ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଅଞ୍ଚଳବାସୀ,ପାଟପୁର ପୋଲିସ,ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ୱାରା ଦିଗପହଣ୍ଡି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ଦୁର୍ଘଟଣାରେ ୧୯ଜଣ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଗତକାଲି ରାତ୍ର ୧୧ଘଣ୍ଟା ସମୟରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଛି । ପାଟପୁର ଥାନା ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି ।


