ତାଲା ଭାଙ୍ଗି ଲୁଟିଲେ ନଗଦ ଟଙ୍କା ଓ ସାମଗ୍ରୀ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): କିଛି ଦିନର ନିରବତା ପରେ ପୁଣି ଥରେ ହିଞ୍ଜିଳି ଥାନା ଇଲାକାରେ ଚୋରଙ୍କ ପାର୍ଦୁଭାବ ଦେଖା ଦେଇଛି । ଇଂରାଜୀ ନୂତନ ବର୍ଷ ଆରମ୍ଭରୁ ଚୋର ଦଳ ନିଜ ନୁତନ ଅପରେସନ ଆରମ୍ଭ କରି ଦେଇଛନ୍ତି । ଗତ କିଛି ଦିନ ପୂର୍ବରୁ ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଦକ୍ଷିଣାଂଚଳ ଡ଼ିଆଇଜିଙ୍କ ହିଂଜିଳି ଥାନା ପରିଦର୍ଶନ ପରେ ପୋଲିସ ପ୍ରଶାସନକୁ ଚୋରଙ୍କ ଖୋଲା ଚ୍ୟାଲେଂଜ ବୋଲି ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ପୌରାଂଚଳ ତଥା ୫୯ ନଂ ଜାତୀୟ ରାଜପଥ ଭାରତ ଭାରତ ପେଟ୍ରୋଲ ପମ୍ପ ନିକଟରେ ଅବସ୍ଥିତ ମାଗତା ପାଣିଗ୍ରାହୀଙ୍କ ଚା ଓ ପାନ ଦୋକାନରୁ ଲୁଟେରା ମାନେ ବୁୂଧବାର ବିଳମ୍ବିତ ରାତିରେ ଦୋକାନ ତାଲା ଭାଙ୍ଗି ଦୋକାନ ମଧ୍ୟରେ ଥିବା ନଗଦ ୨୨ ହଜାର ଟଙ୍କା ଓ ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ସାମଗ୍ରୀ ଲୁଟ କରି ଫେରାର ହୋଇ ଯିବାରେ ସକ୍ଷମ ହୋଇଛନ୍ତି । ବୁଧବାର ରାତିରେ ଦୋକାନୀ ମାଲିକ ପାଣିଗ୍ରାହୀ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ହେଲେ ଗୁରୁବାର ଭୋ ପ୍ରାୟ ୫ଟାରେ ଦୋକାନକୁ ଆସି ଦେଖିଲା ବେଳକୁ ଦୋକାନ ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ । ଘଟଣା ନେଇ ଦୋକାନୀ ମାଲିକ ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଏ ନେଇ ହିଂଜିଳି ଥାନାରେ ନଂ -୯/୨୦ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ଲୁଟେରାଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ଗତ ୬ ମାସ ମଧ୍ୟରେ ହିଂଜିଳି ଥାନା ଅଂଚଳରେ ବିଭିନ୍ନ ସ୍ଥାନରେ ଲୁଟ ହୋଇ ଲକ୍ଷାଧିକ ଟଙ୍କା ସମେତ ପ୍ରାୟ ୨୦ ଭରି ଓଜନର ସୁନା ଓ ୬୦ ଭରି ଓଜନର ରୂପା ଅଳଙ୍କାର ଚୋରୀ ହୋଇଥିଲେ ମଧ୍ୟ ଲୁଟେରାଙ୍କୁ କାବୁ କରିବାରେ ସ୍ଥାନୀୟ ପୋଲିସ ପ୍ରଶାସନ ଏଯାବତ୍ ସକ୍ଷମ ହୋଇ ପାରିନଥିବା ଜଣାପଡ଼ିଛି । ସ୍ଥାନୀୟ ଥାନା ଇଲାକାରେ ବାରମ୍ବାର ଳଉଟ ହେଉଥିବା ବେଳେ ପୋଲିସର ପାରିବାପଣ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଅନ୍ୟପକ୍ଷରେ ସଂପୃକ୍ତ ଅଂଚଳରେ ଥିବା ୨ଟି ଢାବାରେ ଖୁଲୁମଖୁଲା ମଦ ବେପାର ଚାଲିଥିବାରୁ ମଦ୍ୟପ ମାନେ ଏଭଳି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଦେଖାଯାଉ ଲୁଟେରାଙ୍କୁ ପୁଣି ଥରେ ହିଂଜିଳି ପୋଲିସ କାବୁ କରିବାରେ ସକ୍ଷମ ହୋଇ ପାରୁଛି କି ନାହିଁ ।


