ତାଳସାରୀ-ଉଦୟପୁର ବେଳାଭୂମି ଉନ୍ନତିକରଣ ଓ ଆଲୋକୀକରଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ

ବାଲେଶ୍ୱର,(ଓ୍ବାଇଏନ୍ଏସ୍):  ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଳସାରୀ-ଉଦୟପୁର ବେଳାଭୂମି ସମୁଦ୍ରତଟ ଉନ୍ନତିକରଣ ସହିତ ସମୁଦ୍ରପାଶ୍ୱର୍ ସୌନ୍ଦର୍ଯ୍ୟକରଣ ଏବଂ ଚନ୍ଦନେଶ୍ୱର-ଉଦୟପୁର ତାଳସାରୀ ବେଳାଭୂମି ସମେତ ଚତୁଃପାଶ୍ୱର୍ ଆଲୋକୀକରଣ ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଭୋଗରାଇ ବ୍ଲକ ତାଳସାରୀ ସ୍ଥିତ ହେଲିପ୍ୟାଡ୍ ପଡିଆରେ ଅନୁଷ୍ଠିତ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତା ଜରିଆରେ ଏହି ଦୁଇ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ତାଳସାରୀରେ ପର୍ଯ୍ୟଟନର ବିକାଶ ପାଇଁ ବିପୁଳ ସମ୍ଭାବନା ରହିଛି । ଏହି ସମ୍ଭାବନାକୁ ଏବେ ସୁଯୋଗ ଭାବେ ଗ୍ରହଣ କରାଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ଭିଡିଓ ବାର୍ତାରେ କହିଥିଲେ । ତାଳସାରୀ ବେଳାଭୂମି ମହୋତ୍ସବରେ ଯୋଗ ଦେବା ପାଇଁ ସେ ବହୁବାର ଆସିବା ସହ ଏହି ଅଂଚଳକୁ ବୁଲି ଦେଖିଥିବା ପ୍ରକାଶ କରିଥିଲେ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ଏହା ସମଗ୍ର ବାଲେଶ୍ୱର ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଥିବା ବେଳେ ଏହି ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରକଳ୍ପ ଦ୍ୱାରା ତାଳସାରୀ ବେଳାଭୂମି ଏକ ବିଶ୍ୱସ୍ତରୀୟ ବେଳାଭୂମିର ମାନ୍ୟତା ପାଇବା ସହ ସ୍ଥାନୀୟ ଅଂଚଳର ବ୍ୟାପକ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ତେବେ ଏହି ବେଳାଭୂମିର ବିକାଶ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ତାଳସାରୀ ଓଡିଶାର ପ୍ରବେଶ ଦ୍ୱାର ଭାବେ ପରିଗଣିତ ହେଉଥିବା ବେଳେ ବେଳାଭୂମିକୁ ସଫା ରଖିବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ତିନିଟି ରାଜ୍ୟରେ ସ୍ଥାନୀତ କରିବାକୁ ଉଦ୍ୟମ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି ଯୋଗ ଦେଇ ଭୋଗରାଇବାସୀଙ୍କ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି ବୋଲି କହିଥିଲେ । ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ତାଳସାରୀ ବେଳାଭୂମି ଭଳି ଅନନ୍ୟ ବେଳାଭୂମି ଅନ୍ୟ କେଉଁଠି ନ ଥିବା କହିଥିଲେ । ଏହାର ଉନ୍ନତି ପାଇଁ ସବୁ ସ୍ତରରେ ଉଦ୍ୟମ କରାଯିବା ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଦୁଇ ପ୍ରକଳ୍ପ କାମ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସ ପ୍ରକଳ୍ପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଏହି ଅଂଚଳର ବିକାଶ ପାଇଁ ନିରନ୍ତର ଉଦ୍ୟମ ଜାରି ରହିବ ବୋଲି କହିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଦୁଇ ପ୍ରକଳ୍ପ ପାଇଁ ୩୬କୋଟି ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ଭୋଗରାଇ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁରାଣୀ ବେହେରା, ପିଡି-ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ମଂଚାସୀନ ଥିବା ବେଳେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଗଗନ କୁମାର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ