ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୧୮୫ ବିଦ୍ୟାଳୟ ୫-ଟିରେ ସାମିଲ
ବାଲେଶ୍ୱର, (ସରୋଜ ପଣ୍ଡା) :ତୃତୀୟ ପର୍ଯ୍ୟାୟରେ ୫-ଟିକୁ ରୂପାନ୍ତରିତ ହେବାକୁ ଯାଉଥିବା ୧୮୫ ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ୫-ଟି ଯୋଜନାର ବିଦ୍ୟାଳୟ ରୂପାନ୍ତରୀଣର ଉପାଦେୟ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶୈକ୍ଷିକ ପରିବେଶ, ଇ-ପାଠାଗାର, ବିଜ୍ଞାନାଗାର, ସ୍ମାର୍ଟ ଶ୍ରେଣୀଗୃହ, ଖେଳପଡିଆ, ପାନୀୟ ଜଳର ବ୍ୟବସ୍ଥା ଏବଂ ଶୌଚାଳୟ ଇତ୍ୟାଦିକୁ ୫-ଟି ମାଧ୍ୟମରେ ଗୁରୁତ୍ୱ ଦେଇ ଶିକ୍ଷାଦାନର ମାନଦଣ୍ଡକୁ ଉନ୍ନତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ଶିନ୍ଦେ ମତବ୍ୟକ୍ତ କରିଥିଲେ । ୫-ଟି ଯୋଜନାର ସଫଳ ରୂପାୟନ ଶିକ୍ଷା କ୍ଷେତ୍ରରେ ଆଗାମୀ ପିଢି ନୂତନ ସୂର୍ଯ୍ୟୋଦୟ ହେବ ବୋଲି ସେ କହିଥିଲେ । ଯୋଜନାର ସ୍ୱଚ୍ଛ କାର୍ଯ୍ୟକାରିତା ଦିଗରେ ଯତ୍ନବାନ ହେବାକୁ ଜିଲାପାଳ ଶ୍ରୀ ଶିନ୍ଦେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଏହି ଅବସରରେ ୫-ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରଣରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ନୀଳଗିରି ଉପ-ଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ଫକୀରମୋହନ ମେଡିକାଲ କଲେଜ ପ୍ରବନ୍ଧକ ମନୋରମା ଭୂୟାଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲା ‘ମୋ ସ୍କୁଲ’ ଟିମର ସଂଯୋଜକ ସନ୍ଦୀପ କୁମାର ଖଟୁଆ ଏବଂ ସଦସ୍ୟ ଶାଶ୍ୱତ ମହାପାତ୍ର, ନରେନ୍ଦ୍ର ଅଗସ୍ତି, ଶିବ ନାରାୟଣ ମିଶ୍ର, କମଳ ବିଶ୍ୱାଳ, ପ୍ରଭାତ ମଣ୍ଡଳ ପ୍ରମୁଖ ବିଭିନ୍ନ ବ୍ଲକର ବିଡିଓ, ଗୋଷ୍ଠୀ ଶିକ୍ଷାଧିକାରୀଏଥିରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଥିଲା ।


