ତ୍ରିସ୍ତରୀୟ ନିର୍ବାଚନରେ ଦାୟୀତ୍ୱରେ ଅବହେଳା ଯୋଗୁଁ କର୍ମଚାରୀ ନିଲମ୍ବିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚଳିତ ପଞ୍ଚାୟତ ନିର୍ବାଚନରେ ନିଜ ଦାୟୀତ୍ୱ ନିର୍ବାହରେ ଅବହେଳା କରିଥିବା ଓ ନିର୍ବାଚନ କମିଶନଙ୍କ ନିର୍ଦେଶକୁ ଅବମାନନା କରିଥିବା ଅଭିଯୋଗରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନିଲମ୍ବିତ ହୋଇଥିବା ସରକାରୀ କର୍ମଚାରୀମାନେ ହେଉଛନ୍ତି କପାଳେଶ୍ୱର ପଞ୍ଚାୟତର ବୁଥ ନମ୍ବର ୧୧ରେ ପ୍ରଥମ ପୋଲିଂ ଅଫିସର ତଥା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ କାର୍ଯ୍ୟରତ ସହକାରୀ ଶିକ୍ଷକ ହେମନ୍ତ ମହାପାତ୍ର, ଆଳି ବ୍ଲକ ଅନ୍ତର୍ଗତ ସହିରା ପଞ୍ଚାୟତ ହାଇସ୍କୁଲର କ୍ରୀଡା ଶିକ୍ଷକ ତଥା କପାଳେଶ୍ୱର ପଞ୍ଚାୟତର ୧୧ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଗୋପାଳ ଚନ୍ଦ୍ର ବେହେରା, ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଞ୍ଚାୟତର ବୁଥ ନମ୍ବର ୪ ପାଇଁ ସେକ୍ଟର ଅଫିସର ଥିବା ମାର୍ଶାଘାଇ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଖଣ୍ଡାଇ, ମାର୍ଶାଘାଇ ବ୍ଲକର ମେହେନ୍ଦିନଗର ପଞ୍ଚାୟତ ବୁଥ ନମ୍ବର ୨ରେ ପ୍ରିଜାଇଡିଂ ଅଫିସର ଥିବା ଆଳି ବ୍ଲକର ଆୟତିପୁର ଦାମୋଦର ହାଇସ୍କୁଲର ସହକାରୀ ଶିକ୍ଷକ ନରେନ୍ଦ୍ର କୁମାର ସାହୁ, ସେକ୍ଟର ଅଫିସର ଦାୟୀତ୍ୱରେ ଥିବା ପାଟକୁରା ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନା, ଗରଦପୁର ବ୍ଲକ ଅଧିନ ବଙ୍ଗାଳପୁର ପଞ୍ଚାୟତର ବୁଥ ନମ୍ବର ୧୨ରେ ପ୍ରିଜାଇଡିଂ ଅଫିସର ଥିବା ଆଳି ବ୍ଲକ ସାଳିଅଞ୍ଚ କଣ୍ଠେଶ୍ୱର ହାଇସ୍କୁଲର ସହକାରୀ ଶିକ୍ଷକ ଦେବୀ ପ୍ରସାଦ ଷଡଙ୍ଗୀ, ସେହି ବୁଥରେ ପ୍ରଥମ ପୋଲିଂ ଅଫିସର ଦାୟୀତ୍ୱରେ ଥିବା କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନ ସହକାରୀ ଶିକ୍ଷକ କମଳାକାନ୍ତ ସାମନ୍ତରାୟ, ଗରଦପୁର ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମପଞ୍ଚାୟତର ବୁଥ ନମ୍ବର ୧ରେ ପ୍ରିଜାଇଡିଂ ଅଫିସର ଥିବା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନ ପ୍ରଧାନ ଶିକ୍ଷକ ନିଗମାନନ୍ଦ ଦାସ ଓ ସେହି ବୁଥରେ ପୋଲିଂ ଅଫିସର ଥିବା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନ କନିଷ୍ଠ ଶିକ୍ଷକ ଲୋକନାଥ ନାୟକ ପ୍ରମୁଖ । ଏହି ସରକାରୀ କର୍ମଚାରୀମାନଙ୍କୁ ଦାୟୀତ୍ୱରେ ଅବହେଳା ଓ ନିର୍ବାଚନ କମିଶନଙ୍କ ନିର୍ଦେଶକୁ ଅବମାନନା କରିଥିବା ଯୋଗୁଁ ନିଲମ୍ବିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


