ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ (ଏମ୍‌-ଏଲ୍‌) ଲିବରେସନର ପ୍ରତିବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଦେଶରେ କ୍ରମାଗତ ଭାବରେ ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ମହଙ୍ଗା ଦରକୁ ନିୟନ୍ତ୍ରଣ କରିବା ପାଇଁ ଏପ୍ରିଲ୍ ୭ରୁ ୧୩ ପର୍ଯ୍ୟନ୍ତ ଦେଶବ୍ୟାପୀ ଦିଆଯାଇଥିବା ପ୍ରତିବାଦ ଡ଼ାକରାରେ ସିପିଆଇ (ଏମ୍‌-ଏଲ୍‌) ଲିବରେସନ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଭୁବନେଶ୍ୱରରେ ପ୍ରତିବାଦ କରାଯାଇଛି । ଏଠାରେ ଉଲ୍ଲେଖଥାଉକି, ବିଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତିକସ୍ତରେ କମ୍ ଥିଲା ବେଳେ ଭାରତ ସରକାର ଯେଉଁଭଳି ଭାବରେ ଦେଶରେ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ବୃଦ୍ଧି କରି ଟିକସ ଆଦାୟ କରୁଛନ୍ତି, ତାହା ଜନବିରୋଧୀ କାର୍ଯ୍ୟ ବୋଲି ସିପିଆଇ (ଏମ୍‌-ଏଲ୍‌) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦେଶର ଗରୀବ ଜନସାଧାରଣଙ୍କ ଉପରେ ତୈଳ ଦରର ପ୍ରଭାବ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି । ଫଳତଃ ଏମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡ଼ିକ କ୍ରୟ କରିପାରୁ ନାହାଁନ୍ତି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀ ମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରି ସେମାନଙ୍କ ସମସ୍ୟାକୁ ଲାଘବ କରିଛନ୍ତି । ଏହା ମଧ୍ୟ ଦେଶର ଦରଦାମ ବୃଦ୍ଧି ଉପରେ ପ୍ରଭାବ ପକାଉଛି । ଗରିବ ଲୋକ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଯୋଗୁ ମହଙ୍ଗା ମାଡ଼ରେ ଜର୍ଜରିତ ହେଉଛନ୍ତି । ରାଜ୍ୟ ସରକାର ତୁରନ୍ତ ପେଟ୍ରୋଲ, ଡ଼ିଜେଲ ଓ ଗ୍ୟାସ୍ ଉପରୁ ଭାଟ କମାଇବା ପାଇଁ ଆଜିର ଏହି ପ୍ରତିବାଦରେ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ତଥା ସିପିଆଇ (ଏମ୍‌-ଏଲ୍‌) ଲିବରେସନର କେନ୍ଦ୍ରୀୟ କମିଟି ସଦସ୍ୟ ରାଧାକାନ୍ତ ସେଠି, ଏଆଇସିସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଲିଙ୍ଗରାଜ ଚୌଧୁରୀ, ବିଜୟ ବେହେରା, ଉପେନ୍ଦ୍ର ସାହୁ, ଜାନକୀ ରାଓ, ଶଙ୍କର ନାଏକ, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ