ଦାଦା ବଟି ନୁହେଁ ବିଜ୍ଞାପନ ପାଇଁ ଅର୍ଥ ମାଗି ତିନି ସାମ୍ବାଦିକ ଗିରଫ
ବୁଗୁଡା,(ଅନିଲ କୁମାର ମହାରଣା): ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ବୁଗୁଡା ବିଇଓଙ୍କୁ ଦାଦା ବଟି ମାଗି ୩ ଜଣ ସାମ୍ବାଦିକ ଗିରଫ, ପ୍ରକୃତରେ ସେମାନେ ବିଜ୍ଞାପନ ପାଇଁ ଅକ୍ଟୋବର ୧୬ ତାରିଖ ଦିନ ବିଇଓ ଅଫିସକୁ ଯାଇଥିଲେ । ଯେଉଁ ତିନିଜଣ ସାମ୍ବାଦିକ ଗିରଫ ହୋଇଛନ୍ତି ସେମାନେ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିତ୍ୱ କରି ଆସୁଛନ୍ତି । ଜଣେ ଏମବିସି ଓ ବଡ଼ ଖବରର ପ୍ରତିନିଧି, ଅନ୍ୟଜଣେ ହେଲେ ଓଟିଭି ପ୍ରତିନିଧି ଏଦୁହେଁ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିଲେ ମଧ୍ୟ ଅତୀତରେ ସେମାନଙ୍କ ନାମରେ କୌଣସି ଅଭିଯୋଗ ନଥିବା ବେଳେ ନିରପେକ୍ଷ ସମ୍ବାଦ ପରିବେଷଣ କରି ଆସୁଛନ୍ତି । ସେହିପରି ତୃତୀୟ ଜଣଙ୍କ ପ୍ରମେୟ, ନିତିଦିନ, ସମୟ, ଓଡ଼ିଶା ଏକ୍ସପ୍ରେସ ଓ ନିର୍ଭୟ ୫ ଟି ପ୍ରତିଷ୍ଠିତ ଖବର କାଗଜର ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ତାଙ୍କ ବିରୋଧରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ । ଏହି ତିନି ଜଣ ସାମ୍ବାଦିକ ଅକ୍ଟୋବର ୧୬ ତାରିଖ ଦିନ ବିଇଓ ଅଫିସକୁ ବିଜ୍ଞାପନ ମାଗିବାକୁ ଗଲାବେଳେ ବୁଗୁଡା ବିଇଓ ରସାନନ୍ଦ କର ଅଫିସରେ ଅନୁପସ୍ଥିତ ଥିଲେ । ଏହି ତିନି ଜଣ ସାମ୍ବାଦିକ ଅଫିସରେ ଉପସ୍ଥିତ ଥିବା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତିକୁ ବାଇଟି ନେଇ ବିଇଓଙ୍କ ଅନୁପସ୍ଥି ନେଇ ପଚାରିବାରେ ବିଇଓ ଛତ୍ରପୁର ଅଫିସ କାର୍ଯ୍ୟରେ ଯାଇଥିବା ପ୍ରକାଶ କରିଥିଲେ । ଏଥି ସହ ସେ ମୌଖିକ ଭାବେ କହି ଯାଇଥିବା ପ୍ରକାଶ କରିବା ସହ ଲିଖିତ ଭାବେ ଦାଇତ୍ୱ ଦେଇନଥିବା ପ୍ରକାଶ କରିଥିଲେ । ଏଣେ ଏହି ସାମ୍ବାଦିକ ମାନଙ୍କ ମଧ୍ୟରୁ ଜଣେ ବ୍ରହ୍ମପୁର ଡ଼ିଇଓ ଙ୍କୁ ପଚାରିବାରୁ ଛତ୍ରପୁରରେ ସେପରି କିଛି କାର୍ଯ୍ୟକ୍ରମ ନଥିବା ପ୍ରକାଶ କରିଥିଲେ । ହେଲେ ସାମ୍ବାଦିକ ମାନେ ବିଇଓ ଅନୁପସ୍ଥିତ ଥିବା ଦର୍ଶାଇ ଖବର ପ୍ରକାଶ କରିବା ଭୁଲ ଥିଲାକି ? ସେହି ୧୬ ତାରିଖ ଦିନର ଅନ୍ୟ ଏକ ବିଷୟ ହେଲା ବିଇଓ ଅଫିସକୁ ଆସି ପ୍ରକାଶ କରିଥିଲେ ଯେ ସେ ଛତ୍ରପୁର ଯାଉଥିଲେ ଖବର ପାଇ ଅଧା ରାସ୍ତାରୁ ଫେରି ଆସିଥିବା ପ୍ରକାଶ କରିଥିଲେ। ଅଥଚ ୨୨ ତାରିଖରେ ବୁଗୁଡା ଥାନାରେ ଲିଖିତ ଅଭିଯୋଗ ବେଳେ ଦର୍ଶାଇଛନ୍ତିଯେ ୧୬ ତାରିଖରେ ସେ ତାକରଡ଼ା କ୍ଲଷ୍ଟର ପରିଦର୍ଶନରେ ଯାଇଥିଲେ । ହେଲେ ଏମଧ୍ୟରୁ କେଉଁଟି ଠିକ ? ବିଇଓ ଅନ୍ୟ କାର୍ଯ୍ୟ ପାଇଁ ବାହାରକୁ ଗଲେ ଅଫିସ ଦ୍ୱାୟିତ ହସ୍ତାନ୍ତର କରି ଯିବା ନିୟମ ଥିବାବେଳେ ବିଇଓ ତାହା କିପରି ଭୁଲିଗଲେ । ଏଥିରୁ ନିଶ୍ଚିତ ଯେ ବିଇଓ ରସାନନ୍ଦ କର ୧୬ ତାରିଖ ଦିନ ଅଫିସରେ ଅନୁପସ୍ଥିତ ଥିଲେ, ପରେ ସମସ୍ତଙ୍କୁ ଭୟଭୀତ କରାଇ କାର୍ଯ୍ୟରେ ଯୋଗଦେଇଥିବା ଦର୍ଶାଇ ଥାଇ ପାରନ୍ତି । ଅନ୍ୟ ଏକ ଘଟଣା ଅକ୍ଟୋବର ୨୦ ତାରିଖରେ ନରସିଂହପାଟଣା ଗ୍ରାମବାସୀ ମାନେ ସ୍କୁଲରେ ତାଲାପକାଇ ସ୍କୁଲ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ସକାଳ ୧୦ ଟା ଠାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀ ଫାଟକ ବାହାରେ ଦୀର୍ଘ ସମୟ ଛିଡ଼ାହୋଇ ବିଇଓ ଅଫିସକୁ ଫୋନ କରିଥିଲେ ମଧ୍ୟ କେହିମଧ୍ୟ ଘଟଣା ସ୍ଥଳକୁ ଯାଇନଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଗ୍ରାମ ଲୋକମାନଙ୍କୁ ବହୁ ବୁଝାଶୁଝା ପରେ ଗ୍ରାମବାସୀମାନେ ବିଇଓ ଅଫିସକୁ ଦାବୀପତ୍ର ଦେବାକୁ ଆସିଲା ବେଳେ ବିଇଓ ରସାନନ୍ଦ କର ଅଫିସରେ ଅନୁପସ୍ଥିତ ଥିଲେ । ସ୍କୁଲରେ ତାଲା ପକାଇବା ଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଇଓ ଘଟଣା ସ୍ଥଳକୁ ନଯିବା ଓ ଗ୍ରାମବାସୀ ଆସିଲାବେଳେ ଅଫିସରେ ଅନୁପସ୍ଥତ ଥିବା ବିଇଓଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ କି ? ଏସବୁ ଘଟଣାକୁ ଅନୁଧ୍ୟାନ କଲେ ଯେକୌଣସି ବ୍ୟକ୍ତି ବିଇଓ ଅଫିସରେ ଅନୁପସ୍ଥିତ ଥିବା ନିଶ୍ଚିତ ବୋଲି ଭାବିବେ । ପୁଣି ୧୬ ତାରିଖ ଘଟଣା ଓ ୨୨ ତାରିଖରେ ଥାନାରେ ଦେଇଥିବା ଅଭିଯୋଗ ପତ୍ରକୁ ଅନୁଧ୍ୟାନ କଲେ ବହୁତ ବିଷୟ ସନ୍ଦେହ ଘେରକୁ ଆସୁଛି । ଯଦି ତିନି ସାମ୍ବାଦିକ ଜବରଦସ୍ତି ଅଫିସ ଭିତରେ ପ୍ରବେଶ କରିଥିଲେ ତେବେ ସେହିଦିନ ହିଁ କାହିଁକି ଉଚ୍ଚ ଅଧିକାରୀଙ୍କୁ ନଜଣାଇ ୨୦ ତାରିଖରେ ଜଣାଇ ଥିଲେ । ଏହା ସତ୍ୟ ହୋଇପାରେଯେ ବିଇଓ ନିଜର ଅନୁପସ୍ଥିତକୁ ଲୁଚାଇବାକୁ ପଥ ପରିଷ୍କାର କରିନଥିଲେ । ୧୬ ତାରିଖରେ ସେ ବିନା ଆବେଦନରେ ଅନୁପସ୍ଥିତ ଥିବାରୁ ବୋଧ ହୁଏ ଭୟଭୀତ ହୋଇ ସାମ୍ବାଦିକଙ୍କ ଦାବୀ ମୁତାବକ ୧୫,୦୦୦ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ । ବିଇଓଙ୍କ ଅନୁପସ୍ଥିତର ସୁଯୋଗ ନେଇ ବିଜ୍ଞାପନ ପାଇଁ ବିଇଓଙ୍କୁ ଅନୁରୋଧ ନକରି ତିନି ସାମ୍ବାଦିକ ଅଧିକ ପରିମାଣ ଅର୍ଥ ବିଜ୍ଞାପନ ପାଇଁ ଦାବି କରିଥାଇ ପାରନ୍ତି । ଯାହାକି ସେମାନଙ୍କୁ ଜେଲ ଯିବା ପାଇଁ ବାଟ ଖୋଲିଦେଇଥିଲା । ବିଇଓଙ୍କ ଅନୁପସ୍ଥିତି କୁ ଆଖି ବୁଜିଦେବା ମଧ୍ୟ ଠିକ ହେବନାହିଁ। ବିଇଓଙ୍କ ଧର୍ମପତ୍ନୀ ଗର୍ଭବତୀ ଥିବା ଯୋଗୁଁ ବିଇଓ ଅଫିସରେ ଅନୁପସ୍ଥିତ ରହିବାକୁ ଏଡାଇ ଦିଆଯାଇ ପାରିବ ନାହିଁ। ଏହି ଦୁଇ ତିନି ଦିନ ପୂର୍ବରୁ ବିଇଓଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ସେ ଅଫିସରେ ଅନୁପସ୍ଥିତ ରହିବା ସତ୍ୟ ହୋଇଥାଇପାରେ । ସାମ୍ବାଦିକ ତିନି ଜଣ ସେମାନଙ୍କ ଭୁଲ ଠାରୁ ଅଧିକ ଦଣ୍ଡ ପାଇ ସାରିଲେଣି । ହେଲେ ବିଇଓଙ୍କ ବିରୁଦ୍ଧରେ ସାମ୍ବାଦିକ ମାନେ ଯେଉଁ ଅଭିଯୋଗ ଆଣିଛନ୍ତି ବିଇଓଙ୍କ ଅନୁପସ୍ଥିତ ସମ୍ପର୍କରେ ତାହାର ଏକ ଉଚ୍ଚ ସ୍ଥରୀୟ ତଦନ୍ତ ହେବା ସହ ତଦନ୍ତ ବେଳେ ତିନି ସାମ୍ବାଦିକଙ୍କ ମନୋନୀତ ଜଣେ ସାମ୍ବାଦିକଙ୍କୁ ମଧ୍ୟ ତଦନ୍ତ ବେଳେ ନିଆଯିବା ଆବଶ୍ୟକ । ତାହାହେଲେ ଯାଇ ପ୍ରକୃତ ସତ୍ୟ ଉନ୍ମୋଚିତ ହୋଇପାରିବ । ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଓ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟ ଏହି କ୍ଷେତ୍ରରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।


