ଦିନକ ପରେ ଛାଡ଼ଖାଇ : ଜମିବ ଆମିଷ ବେପାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦିନକ ପରେ ଶେଷ ହେବ ଧର୍ମ ଅର୍ଜନର ମାସ କାର୍ତିକ । ମାସେ ହେଲା ପାଟିରେ ଆମିଷ ବାଜିନି । ମଙ୍ଗଳବାର କାର୍ତିକ ମାସର ଅନ୍ତିମ ଦିବସ । ବୁଧବାର ଛାଡ଼ଖାଇ । ଆମିଷ ଖାଇବା ପାଇଁ ବାର ଅନୁକୂଳ ଥିବାରୁ ବେପାର ଜୋର ଧରିବ । ଏଥିପାଇଁ ଲୋକେ ଅନାଇ ରହିଛନ୍ତି । ମାସ ତମାମ ହାତବାନ୍ଧି ବସିଥିବା ମାଛ, ମାଂସ ବେପାରୀ ମାନେ ସେମାନଙ୍କପୂର୍ବ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । କାରଣ ଦିନକ ପରେ ଆମିଷ ବଜାରରେ ଭିଡ଼ ଜମିବ । ଶୁଭିବ କେଁ କା ରଡ଼ି । ହିଞ୍ଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ରହିଛି ସ୍ୱତନ୍ତ୍ର ଆମିଷ ବଜାର । ହିଞ୍ଜିଳିକାଟୁ ପୌରାଂଚଳ ସମେତ ଆଖପାଖ ଅଂଚଳରୁ ବହୁ ଲୋକ ମାଛ, ମାଂସ, ଚିକେନ୍ କିଣିବାକୁ ଆସିଥାନ୍ତି । ତେଣୁ ବେପାରୀ ମାନେ ମଧ୍ୟ ମାସ ତମାମ ନୀରବୀ ଯାଇଥିବାରୁ ଏହି ଦିନମୌକା ମିଳିଛି । ମାସକର ଲାଭ ଉଠାଇବା ପାଇଁ । ଏଣେ ଲୋକେ ବି ମାସେ ହେଲା ଆମିଷ ଭକ୍ଷଣ ଠାରୁ ଦୂରେଇ ରହିଥିବାରୁ ଚାତକ ପରି ଚାହିଁ ରହିଛନ୍ତି ଛାଡ଼ଖାଇ ଦିନକୁ । ଛାଡ଼ଖାଇ ଦିନ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ହଜାର ହଜାର ଛେଳି, କୁକୁଡ଼ା ମରିବାର ସମ୍ଭାବନା ରହିଛି । ଛାଡ଼ଖାଇକୁ ଦୃଷ୍ଟିରେ ରଖି ଚିକେନ୍ ଓ ମଟନ ବ୍ୟବସାୟୀ ମାନେ ପୂର୍ବରୁ କୁକୁଡ଼ା ଓ ଛେଳି ଅର୍ଡ଼ର କରିସାରିଛନ୍ତି । ଏପରିକି ମାଛ ବେପାରୀ ମାନେ ନିକଟବର୍ତି ଅଂଚଳର ପୋଖରୀ ନିଲାମ କରିବା ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମାଛ କିଣିବା ପାଇଁ ଅର୍ଡ଼ର କରି ସାରିଛନ୍ତି । ତେବେ ଆମିଷ ଯେପରି ଚଢା ଦରରେ ବିକ୍ରି ନହେବ ସେଥିପ୍ରତି ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।


