ଦୃଷ୍ଟିହୀନ ଶିକ୍ଷକଙ୍କ ଯୋଗଦାନକୁ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଏନଏସି ଅନ୍ତର୍ଗତ ୫ନଂ ଓ୍ବାର୍ଡ ଡାଳିମ୍ବଗୋରଡି ଗ୍ରାମ ଠାରେ ଥିବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଜଣେ ଦୃଷ୍ଟିହୀନ ଶିକ୍ଷକଙ୍କ ଯୋଗ ଦେବା ଘଟଣାକୁ ନେଇ ବିଦ୍ୟାଳୟ ଛାତ୍ର ଅଭିଭାବକ ଓ ଶିକ୍ଷା କମିଟି ପକ୍ଷରୁ ବିଦ୍ୟାଳୟରେ ତାଲା ପକାଯାଇଛି । ଏହି ବିଦ୍ୟାଳୟଟି ପାଖରେ ଏକ ପୋଖରୀ ଓ ମଶାଣି ରହିଥିବାରୁ ଜଣେ ଦୃଷ୍ଟିହୀନ ଶିକ୍ଷକଙ୍କୁ ଏଠାରେ ଯୋଗଦାନ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଠାଯିବା ଘଟଣାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ପ୍ରକଟ କରି ଗୁରୁବାର ଛାତ୍ର ଅଭିଭାବକ ଓ ଶିକ୍ଷା କମିଟି ପକ୍ଷରୁ ବିଦ୍ୟାଳୟ ଗେଟରେ ତାଲା ପକାଯାଇ କୌଣସି ଶିକ୍ଷକଙ୍କୁ ବିଦ୍ୟାଳୟକୁ ଛଡା ଯାଇନଥିଲା। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗେଟ ସମ୍ମୁଖରେ ବସି ରହି ଥିଲେ । ଘଟଣା ସ୍ଥଳରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ସେଠୀ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଧାରଣା ଦେଇଥିବା ଛାତ୍ର ଅଭିଭାବକ ଓ ଶିକ୍ଷା କମିଟି ସଭ୍ୟ ସଭ୍ୟା ମାନେ ବୁଝି ନ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଦ୍ୟାଳୟକୁ ଯୋଗଦାନ କରିବା ପାଇଁ ଆସିଥିବା ଦୃଷ୍ଟିହୀନ ଶିକ୍ଷକ ପ୍ରତାପ କୁମାର ବେହେରାଙ୍କ ଅନ୍ୟତ୍ର ବଦଳି ଆଦେଶ ପ୍ରକାଶ କରି ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଅଡି ବସିଛନ୍ତି। ଏହି ଘଟଣାରେ ଗୋପ ବ୍ଲକ ଶିକ୍ଷା ଅଧିକାରୀ ଓ ଦାୟିତ୍ବରେ ଥିବା ସିଆରସିସିଙ୍କ ମିଳିତ ଚଂଚକତା ଏଥିପାଇଁ ଦାୟୀ ବୋଲି ଶିକ୍ଷା କମିଟି ସଭାପତି ବିଭୁନା କାଣ୍ଡି ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଗୁରୁତର ଭାବେ ବିଚାର କରିବା ସହ ନୂତନ ଶିକ୍ଷକ ନିଯୁକ୍ତି କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଡାଳିମ୍ବଗୋରଡି ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ