ଦେବୀନଦୀ ବନ୍ଧରେ ଫାଟ ପ୍ରସଙ୍ଗ ;ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କଲେ ନଦୀ ବନ୍ଧ ସୁରକ୍ଷା କମିଟି
ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ନାଉଗାଁ ବ୍ଳକ ଅନ୍ତର୍ଗତ ତୁମ୍ବେଶ୍ୱର ନିକଟ ଦେବୀ ନଦୀ ବନ୍ଧ ସୁରକ୍ଷା ପାଇଁ ନଦୀବନ୍ଧ ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ନିର୍ମାଣ କରାଯାଉଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ ରଖାଯାଇଛି । କମିଟିର ସଦସ୍ୟମାନଙ୍କ ସହ ପ୍ରଶାସନ ଆଲୋଚନା କରି ମଧ୍ୟ ଏପର୍ଯ୍ୟନ୍ତ ବନ୍ଧ ସୁରକ୍ଷା ପାଇଁ କୌଣସି ଲିଖିତ ପ୍ରତିଶୃତି ପ୍ରଦାନ କରୁ ନଥିବାରୁ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖାଯାଇଥିବା କମିଟିର ସଦସ୍ୟ ଅଶୋକ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ ଜାନୁଆରୀ ୧୧ ତାରିଖରେ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରଶାସନ ଓ ନଦୀବନ୍ଧ ସୁରକ୍ଷା କମିଟିର ସଦସ୍ୟମାନଙ୍କ ସହ ବନ୍ଧର ସୁରକ୍ଷା ପାଇଁ ଆଲୋଚନା କରାଯାଇଥିଲା । ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଲୋଚନାରେ ତହସିଲଦାର ଜେ.କଳ୍ପନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ଚିତରଂଜନ ଜେନା, ଏସଡିଓ ତପନ କୁମାର ରାଉତ ଆଦି ପ୍ରଶାସନିକ ଅଧିକାରୀ ରହିଥିବା ବେଳେ ନଦୀ ବନ୍ଧ ସୁରକ୍ଷା କମିଟି ତରଫରୁ ଆବାହକ ଆର୍ତତ୍ରାଣ ଦାସ,ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ନୂଆଗାଁ ପଂଚାୟତ ସମିତ ସଭ୍ୟ ଦୋଳ ଗୋବିନ୍ଦ ରାଉଳ, ନବକିଶୋର ମହାନ୍ତି, ଚତୃଭୂଜ ମହାନ୍ତି, ବଂଶୀଧର ବେହେରା, ପ୍ରଫୁଲ୍ଲ ପରିଡା, ସମାଜସେବୀ ଗୌରାଙ୍ଗ ସ୍ୱାଇଁ, ରୋହିଆ ପଂଚାୟତ ସମିତି ସଭ୍ୟ ପଦ୍ମଚରଣ ରାଉତ, ସରପଂଚ ଶିବ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଦେବୀ ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଫଳରେ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ପ୍ରଥମେ ନଦୀ ବନ୍ଧର ସୁରକ୍ଷା ପାଇଁ ପ୍ରଶାସନିକ ଅଧିକାରୀ ଲିଖିତ ଭାବେ ପ୍ରତିଶୃତି ଦେବା ପରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି କମିଟିର ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ । ମଙ୍ଗଳବାର ପ୍ରଶାସନ ଲିଖିତ ଭାବେ ବନ୍ଧର ସୁରକ୍ଷା ପାଇଁ ପ୍ରତିଶୃତି ଦେବେ ବୋଲି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମତ ରଖିଥିଲେ । ଲିଖିତ ପ୍ରତିଶୃତି ପାଇବା ପରେ ମେଗା ପାନୀୟ ଜଳ କାର୍ଯ୍ୟ କରାଯିବା ସହିତ ଆସନ୍ତା ସପ୍ତାହରେ ବନ୍ଧର ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରାଯିବ ବୋଲି ସ୍ଥିର କରାଯାଇଥିଲା । କିନ୍ତୁ ପ୍ରଶାସନ ସହ ଆଲୋଚନା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଲିଖିତ ପ୍ରତିଶୃତି ପ୍ରଦାନ କରାଯାଇନଥିବା ଜଣାଯାଇଛି । ଯାହାଫଳରେ ସଦସ୍ୟମାନେ ପୁନର୍ବାର କାର୍ଯ୍ୟକୁ ବନ୍ଦ ରଖିଛନ୍ତି । ଏସଂର୍ପକରେ ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ପ୍ରକାଶ ଯୋଗ୍ୟ ଯେ ନଦୀ ବନ୍ଧ ସୁରକ୍ଷା ପାଇଁ ବାରମ୍ବାର ସୁରକ୍ଷା କମିଟି ଓ ପ୍ରଶାସନ ମଧ୍ୟରେ ଆଲୋଚନା ହେଉଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁ ନାହିଁ । ବନ୍ଧର ସୁରକ୍ଷା ପାଇଁ ଗତ ଡିସେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ଜରିଆରେ କମିଟି ପକ୍ଷରୁ ୩ ଦଫା ଦାବି ବିଶିଷ୍ଟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ନଦୀ ବନ୍ଧର ସୁରକ୍ଷା ପାଇଁ ପ୍ରଥମ ବୁରୁଜରୁ ଦ୍ୱିତୀୟ ବୁରୁଜ ପର୍ଯ୍ୟନ୍ତ ନଦୀର ବେଡ ଲେବୁଲରୁ ଏକ କଂକ୍ରିଟ ୱାଲ ନଦୀ ବନ୍ଧ ଉଚ୍ଚତା ଠାରୁ ୫ ଫୁଟ ଉଚ୍ଚତାରେ ନିର୍ମାଣ କରାଯାଉ, ନଦୀର ଜଳସ୍ତର ବଜାୟ ରଖିବା ପାଇଁ, ନଦୀରେ ସୁବିଧା ଜାଗା ଦେଖି ଏକ ଆଡି ବନ୍ଧ ନିର୍ମାଣ କରାଯାଉ, ନାଉଗାଁ ବ୍ଳକର ସମସ୍ତ ପଂଚାୟତକୁ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ଦାବି କରାଯାଇଥିଲା । ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଏହାର ନକଲ ମନ୍ତ୍ରୀ, ଜଳସେଚନ ବିଭାଗ, ଜିଲ୍ଲାପାଳ ଜଗତସିଂହପୁର,ସାଂସଦ ଜଗତସିଂହପୁର, ବିଧାୟକ ଜଗତସିଂହପୁର, ଉପଜିଲ୍ଲାପାଳ ଜଗତସିଂହପୁରଙ୍କ ଅବଗତି ନିମନ୍ତେ ପଠାଯାଇଥିଲା ।


