ଦେଶରେ ୨ ଲକ୍ଷ ୭୩୯ କରୋନା ସଂକ୍ରମିତ, ୧୦୩୭ ମୃତ
ନୂଆଦିଲ୍ଲୀ, (ୱାଇଏନ୍ଏସ୍) : ବିଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ଲକ୍ଷ ୭୩୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୧୦୩୭ ଜଣ ମୃତ୍ୟୁ ବରଣ କରିଛନ୍ତି। ନୂଆ ସଂକ୍ରମିତଙ୍କ ସଂଖ୍ୟା ମିଶାଇଲେ ଦେଶରେ ୧ କୋଟି ୪୦ ଲକ୍ଷ ୭୪ ହଜାର ୫୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ଏହି ଭାଇରସରେ ୧ ଲକ୍ଷ ୭୩ ହଜାର ୧୨୩ ଜଣ ଏଯାବତ ପ୍ରାଣ ହରାଇଛନ୍ତି। ଆମେରିକା ହେଉଛି କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶ। ଏହାପରେ ଭାରତ, ବ୍ରାଜିଲ ପଛକୁ ପଛ ରହିଛନ୍ତି। ରିପୋର୍ଟ ଅନୁଯାୟୀ ଗତବର୍ଷ ଅକ୍ଟୋବର ୩୦ରେ ଆମେରିକାରେ ଗୋଟିଏ ଦିନରେ ୧ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ୨୦ ନଭେମ୍ୱରରେ ୨ ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଚଳିତ ବର୍ଷ ଜାନୁଆରୀ ୮ରେ ଗୋଟିଏ ଦିନରେ ୩ ଲକ୍ଷ ୩୫ ହଜାର ସଂକ୍ରମିତ ହୋଇଥିଲେ। ଯଦି ଆମେରିକାର ସ୍ଥିତିକୁ ଆକଳନ କରାଯିବ ତାହେଲେ ଆଗାମୀ ଦିନରେ ଭାରତରେ ମଧ୍ୟ ଆମେରିକା ଭଳି ସ୍ଥିତି ଉତ୍ପନ୍ନ ହେବ ବୋଲି ଆଶଙ୍କା ରହିଛି। ନିର୍ବାଚନୀ ପ୍ରଚାର, କୁମ୍ଭ ମେଳା ଆଦି ଏବେ ଦେଶର କରୋନାର ହଟସ୍ପଟ ପାଲଟିଛି। ତେଣୁ ଆଗାମୀ ଦିନରେ କରୋନା ଆହୁରି ବିସ୍ଫୋରଣ କରିବ ବୋଲି ଆଶଙ୍କା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଦେଶର ୧୦ଟି ରାଜ୍ୟରୁ ମୋଟ୍ ୮୦.୮ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୦ ରାଜ୍ୟ ହେଲେ ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ମଧ୍ୟ ପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ କେରଳ। ଯେଉଁଠି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି।


