ଧାନକିଆରୀ ରେ କୁମ୍ଭୀର ଆତଙ୍କ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ତଲାସିଂ ଗ୍ରାମର ଧାନଜମିରୁ ୬ଫୁଟ ଦୈର୍ଘ୍ୟ ବିଶିଷ୍ଠ ଏକ କୁମ୍ଭୀରକୁ ଜଙ୍ଗଲ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ନିକଟସ୍ଥ ଘୋଡାହଡ ଜଳଭଣ୍ଡାରରେ ସୁରକ୍ଷିତ ଅବସ୍ଥାରେ ଛାଡିଦେଇଥିବା ଖବର ମିଳିଛି।ଉଦ୍ଧାର କୁମ୍ଭୀରଟି ର ବୟସ ପ୍ରାୟ ୩ ବର୍ଷ ଏବଂ ଗୋମୁହାଁ ପ୍ରଜାତିର ବୋଲି ଦିଗପହଣ୍ଡି ରେଞ୍ଜର ପ୍ରମୋଦ ଖଡଗ ରାୟ କହିଛନ୍ତି।ଶନିବାର ଅପରାହ୍ନ ରେ କୁମ୍ଭୀରଟି ତଲାସିଂ ଗ୍ରାମର ସିମାଞ୍ଚଳ ପାଣିଗ୍ରାହୀ ଙ୍କ ଚାଷ ଜମିରେ ବୁଲୁଥିବା ସମ୍ପର୍କରେ ସୁଚନା ପାଇ ସେହି ଗ୍ରାମର ଚାଷୀମାନେ ଦିଗପହଣ୍ଡି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ।ଖବର ପାଇବା ପରେ ରେଞ୍ଜର ପ୍ରମୋଦ କୁମାର ଖଡ୍ଗରାୟ ବନ କର୍ମଚାରୀ ମାନଙ୍କୁ ଘଟଣାସ୍ଥଳକୁ ପଠାଇ କୁମ୍ଭୀର ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ।ଉଦ୍ଧାର କାର୍ଯ୍ୟରେ ବନରକ୍ଷୀ ମୁରଲୀଧର ନାଏକ,ମୁକୁନ୍ଦ ପ୍ରସାଦ ରଥ,ସୁଜାତା ରଥ,ନିରଞ୍ଜନ ପ୍ରଧାନ,ଆଦିତ୍ୟ କୁମାର ରଥ,ଓ କିଶୋର କୁମାର ଶୁକ୍ଳା ପ୍ରମୁଖ ବନ କର୍ମଚାରୀ ସାମିଲ ଥିଲେ।
ମିଳିଥିବା ସୁଚନା ପ୍ରକାରେ ଘୋଡାହଡ ନିକଟସ୍ଥ ଉଜେଳେଶ୍ୱର ବନ୍ଧ ପୁନରୁଦ୍ଧାର ପାଇଁ ବନ୍ଧର ଜଳ ନିସ୍କାସନ କରିବାରୁ ସେଠାରେ ଥିବା ଅନେକ କୁମ୍ଭୀର ଆଖପାଖ ଗ୍ରାମର ଜଳାଶୟ ଓ ବନ୍ଧଗାଡିଆକୁ ଚାଲିଆସିଥିବା ସନ୍ଦେହ କରାଯାଉଛି।ତାହା ସହ ଘୋଡାହଡ ଜଳଭଣ୍ଡାର ରେ ପ୍ରାୟ ୧ ଶହ ରୁ ଉର୍ଦ୍ଧ୍ବ କୁମ୍ଭୀର ରହିଥିବା ଜଣାପଡିଛି।ସେମାନଙ୍କ ପାଇଁ ଖାଦ୍ୟ ଅଭାବ ଜନିତ ସମସ୍ୟା ଯୋଗୁଁ ଅନେକ ସମୟରେ କୁମ୍ଭୀରମାନେ ଜଳଭଣ୍ଡାର ଛାଡି ଆଖପାଖ ଗ୍ରାମର ଜଳାଶୟ ,ବନ୍ଧଗାଡିଆ,ଓ ଘୋଡାହଡ ନଦୀରେ ସୃଷ୍ଟି ହୋଇଥିବା ଗଣ୍ଡମାନଙ୍କରେ ଆସ୍ଥାନ ଜମାଇଥିବା ସ୍ଥାନୀୟ ଲୋକମାନଙ୍କ ଠାରୁ ଜଣାପଡିଛି।ସେମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଜଙ୍ଗଲ ବିଭାଗ ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବୀ ହେଇଛି।


