ଧାମନଗରରେ ଧାନଚାଷ ବ୍ୟାପକ କ୍ଷତି : ଋଣଛାଡ଼ ପାଇଁ ଚାଷୀଙ୍କ ଦାବି
ଧାମନଗର, (ସନ୍ତୋଷ କୁମାର ପ୍ରଧାନ) : ବାତ୍ୟା ଜୱାଦ ଟଳିଯାଇଛି କିନ୍ତୁ ଏହାର ପ୍ରଭାବରେ ଧାମନଗର ବ୍ଲକର ୩୧ଟି ପଞ୍ଚାୟତର ୭୫ ଭାଗ ଚାଷ ଜମିରେ ଧାନ ଫସଲ ନଷ୍ଟ ହେବା ନିଶ୍ଚିନ୍ତ ହୋଇଯାଇଛି । ଗୋଟିଏ ପଟେ ଏଥର ଧାନ ଚାଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ବେଶ ଭଲ ହୋଇନଥିଲା । ଯାହାବି ଥିଲା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ରେଭ କପାଳି ଗେଗୁଟି ନଦୀରେ ବନ୍ୟା ଆସି ବହୁ ଫସଲ ନଷ୍ଟ ମଧ୍ୟ ହୋଇଯାଇଥିଲା । ତେଣୁ ଚାଷ ର ମାତ୍ରା କମ ହୋଇଥିଲା । ତା ପରିବର୍ତେ ଏହି ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷା ଚାଷୀଙ୍କୁ ଝଟକା ଦେଇଛି । ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଧାମନଗର ଅଂଚଳରେ ୨ଦିନ ହେବ ଲଗାଣ ବର୍ଷା ହେବା ଫଳରେ ଚାଷ ଜମିରେ ପାଖାପାଖି ଏକ ଫୁଟ ଉଚର ପାଣି ଜମିରହିଛି । ଆଉ ମାତ୍ର କେଇଟା ଦିନ ମଧ୍ୟରେ ଧାନ ଅମଳ ହୋଇଥାନ୍ତା କିନ୍ତୁ ସବୁ ସୁଖକୁ ଜୱାଦ ପୋଛି ନେଇଛି । ହାଲୁକା ପବନରେ କେଉଁଠି ଧାନ ଗଛ ସୋଇଯାଇଛି ତ ଆଉ କେଉଁଠି କଟାଯାଇଥିବା ପାଚିଲା ଧାନ ଉପରେ ପାଣି ଚହଲା ମାରୁଛି । ତେବେ ଚାଷୀମାନେ ସମବାୟ ସମିତି ଓ ଗାଁ ଗଣ୍ଡାରୁ ଋଣ ଆଣି ବହୁକଷ୍ଟରେ ଚାଷ କରିଥିଲେ । ଏବେ ପାଚିଲା ଫସଲ ନଷ୍ଟ ହୋଇଯାଉଥିବାରୁ ଚାଷୀମାନେ ଋଣ ଛାଡ କରିବାକୁ ସରକାରଙ୍କୁ ଦାବି କରିଛନ୍ତି । ଏନେଇ ଧାମନଗର କୃଷିବିଭାଗ ଓ ତହସିଲ ପକ୍ଷରୁ ଜଏଣ୍ଟ ଭେରୀଫିକେସନ କରି କ୍ଷତିହୋଇଥିବା ଚାଷୀଙ୍କୁ ଚିହ୍ନଟ କରଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଧାମନଗର ସହକାରୀ କୃଷିବିଭାଗର ଭାସ୍କର ଦାସ କହିଛନ୍ତି ।


