‘ନନ୍ଦ’ ହାତୀକୁ ସବୁଜ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସବୁଜ ପ୍ରକୃତି କୋଳରେ ବଢି ଆସିଥିବା ‘ନନ୍ଦ’ ହାତୀର ମୃତ୍ୟୁକୁ ୧୧ ଦିନ ପୁରିଯାଇଛି । ନନ୍ଦ ଥିଲା ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ । ଆଜି ନନ୍ଦ ରହୁଥିବା ସ୍ଥାନଟି ଖାଁ ଖାଁ ହୋଇପଡ଼ିଛି । ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କର ସେ ଥିଲା ଅତି ଆଦରର । ନନ୍ଦର ସ୍ନେହ, ଆତ୍ମିୟତା ଓ ପ୍ରେମରେ ବନ୍ଧା ପଡ଼ିଯାଇଥିବା ଲୋକ ଏବେ ବି ନନ୍ଦକୁ ଝୁରୁଛନ୍ତି । ମଣିଷଟିଏ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଲା ପରେ ହିନ୍ଦୁଶାସ୍ତ୍ର ବିଧି ମୁତାବକ ଏକାଦଶାହ ଦିବସରେ ଯେପରି ସ୍ମୃତିଚାରଣ କରି ଆତ୍ମାର ସଦ୍‌ଗତି କାମନା କରିଥାନ୍ତି, ଠିକ୍ ସେହିପରି ନନ୍ଦର ଏକାଦଶାହ ଦିବସଟିକୁ ଏକ ନିଆରା ଢଙ୍ଗରେ ସ୍ମୃତିଚାରଣ କରି ସବୁଜ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରହୁଥିବା ପରିବେଶବିତ୍ ସୁଶାନ୍ତ ସାହୁ । ମାଟି, ଗୋବରଖତ, ପଣସମଞ୍ଜିରେ ଶ୍ରୀ ସାହୁ ପ୍ରସ୍ତୁତ କରିଥିବା ସିଡ୍‌ସ୍ ବଲ୍ ଅର୍ଥାତ୍ ବିହନ ପେଣ୍ଡକୁ ହୃଦୟ ଆକାରରେ ସଜାଇ ତନ୍ମ ମଧ୍ୟରେ ରଙ୍ଗ ବେରଙ୍ଗର ପୁଷ୍ପ ସଜ୍ଜିତ କରି ଏବଂ ପ୍ରଦୀପ ଜାଳି ନନ୍ଦକୁ ଜଣାଛନ୍ତି ସବୁଜ ଶ୍ରଦ୍ଧାଞ୍ଜଳି । ଆଗାମୀ ବର୍ଷୠତୁରେ ‘ନନ୍ଦ’ ହାତୀର ସ୍ମୃତି ଉଦ୍ଦେଶ୍ୟରେ ୧ ହଜାର ପଣସ ମଞ୍ଜିଯୁକ୍ତ ବିହନ ପେଣ୍ଡୁ ଚନ୍ଦକା ଜଙ୍ଗଲରେ ପକାଯିବ ବୋଲି ସୁଶାନ୍ତ ଏହି ଅବସରରେ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ବନ ବିଭାଗ ୨୦୧୦, ଅକ୍ଟୋବର ୨୫ ତାରିଖରେ ଜୋର ଜବରଦସ୍ତ ଟ୍ରାଙ୍କୁଲାଇଜର ମାଡ଼ କରି ନନ୍ଦକୁ ଟ୍ରକରେ ଲଦି ନନ୍ଦନକାନନରୁ ଚନ୍ଦକା ଅଭୟାରଣ୍ୟକୁ ନେଇ ଆସିଥିଲେ । କୁମ୍‌କୀ ପ୍ରଶିକ୍ଷଣ ଦେବା ଆଳରେ ବାରମ୍ବାର ଟ୍ରାଙ୍କୁଲାଇଜର କରିବା ଫଳରେ ନନ୍ଦ ସମ୍ଭାଳି ନ ପାରି ଶେଷରେ ଆଖି ବୁଜି ଦେଇଥିଲା ବୋଲି କେହି ମତ ରଖୁଥିବା ବେଳେ ଆଉ କେହି ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲା ବୋଲି ମତ ଦେଇଛନ୍ତି । ଆଉ କେହି କୁମ୍‌କୀ ପ୍ରଶିକ୍ଷଣ ପରିଚାଳନାରେ ତ୍ରୁଟି ବୋଲି ମତ ପ୍ରକାଶ କରିଛନ୍ତି । ପ୍ରକୃତରେ ନନ୍ଦ ମୃତ୍ୟୁ ପଛରେ ସତ୍ୟାସତ କାରଣ କ’ଣ ରହିଛି ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ରାଜ୍ୟର ବୁଦ୍ଧିଜୀବୀ, ସାମାଜିକ କର୍ମୀ, ପଶୁପ୍ରେମୀ ଓ ପରିବେଶବିତ୍ ଦାବି କରିବା ସହ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ