ନାଗରିକତା ସଂଶୋଧନ ବିଧେୟକଙ୍କୁ ମିଳିଲା ରାଷ୍ଟ୍ରପତିଙ୍କ ସ୍ବୀକୃତି

ନୂଆଦିଲ୍ଲୀ: ବହୁ ବାଦବିବାଦ ସତ୍ତ୍ବେ ଆଇନରେ ପରିଣତ ହୋଇଛି ନାଗରିକତା ସଂଶୋଧନ ବିଧେୟକ। ଲୋକସଭା ଏବଂ ରାଜ୍ୟସଭାରେ ଏହି ବିଧେୟକ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିଛି। ଏବେ ଏହା ଆଇନରେ ପରିଣତ ହେବାରୁ ସବୁ ପ୍ରତିବନ୍ଧକ ଦୂର ହୋଇଛି। ନାଗରିକତା ସଂଶୋଧନ ଆଇନରେ, ଆଫଗାନିସ୍ଥାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି, ଖ୍ରୀଷ୍ଟିଆନ୍‌ ଧର୍ମର ଶରଣାର୍ଥୀଙ୍କ ପାଇଁ ନାଗରିକତାର ନିୟମ ସରଳ ହୋଇଛି। ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିଙ୍କୁ ଭାରତର ନାଗରିକତା ହାସଲ ପାଇଁ ଯେଉଁ ବ୍ୟବସ୍ଥା ରହିଛି ସେହି ବ୍ୟବସ୍ଥା ଅନୁସାରେ ଉକ୍ତ ବ୍ୟକ୍ତି ଅତିକମ୍‌ରେ ବିଗତ ୧୧ବର୍ଷ ଧରି ଭାରତରେ ରହିଥିବା ବାଧ୍ୟତାମୂଳକ । ଏହି ନିୟମକୁ ସହଜ କରିବାକୁ ଯାଇ ସରକାର ନାଗରିକତା ହାସଲ ପାଇଁ ଅବଧିକୁ ଏକ ବର୍ଷରୁ ୬ ବର୍ଷ କରିବାର ପ୍ରସ୍ତାବ ରହିଛି । ଅର୍ଥାତ୍‌ ଏହି ତିନି ଦେଶର ୬ଟି ଧର୍ମର ଲୋକେ ଯେଉଁମାନେ ଏକ ବର୍ଷରୁ ୬ ବର୍ଷ ଧରି ଭାରତରେ ରହିଆସୁଛନ୍ତି ଏବେ ସେମାନଙ୍କୁ ଭାରତୀୟ ନାଗରିକତା ମିଳିପାରିବ ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ସଂଶୋଧନ ବିଲକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଗତ କରିଥିଲେ। ଏହି ବିଧେୟକ ଗୃହର ଅନୁମୋଦନ ଲାଭ କଲା ପରେ ତାହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ଏହା ଆଇନରେ ପରିଣତ ହେବା ପରେ ଏବେ ଦେଶରେ ୬୦ ବର୍ଷ ଧରି ସକ୍ରିୟ ଥିବା ନାଗରିକତା ଆଇନ – ୧୯୫୫ ବଦଳି ଯାଇଛି ଏବଂ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିବା ପ୍ରକ୍ରିୟା ସହଜ ହୋଇଯାଇଛି। ସୋମବାର ଦିନ ୧୧ଟାରୁ ମଧ୍ୟରାତ୍ରି ଯାଏଁ ଆଲୋଚନା, ପର୍ଯ୍ୟାଲୋଚନା ଓ କେତେକ ସଂଶୋଧନ ପରେ ଲୋକସଭାରେ ଭୋଟ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୩୧୧ ଜଣ ସଦସ୍ୟ ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିବା ବେଳେ ୮୦ ଜଣ ବିପକ୍ଷରେ ଭୋଟ ଦେଇଥିଲେ। ଏହି ବିଲକୁ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ସମାଜବାଦୀ ପାର୍ଟି ବିରୋଧ କରିଥିଲେ ମଧ୍ୟ ଏହାକୁ ଅଟକାଇବାରେ ସଫଳ ହୋଇ ପାରି ନ ଥିଲେ। ବିଲ ସମ୍ପର୍କିତ ଆଲୋଚନାରେ ବିଭିନ୍ନ ଦଳର ୪୮ ଜଣ ସଦସ୍ୟ ଭାଗ ନେଇଥିଲେ । ଏହି ବିଲ୍ ରେ ସମ୍ବିଧାନର କୌଣସି ଧାରାକୁ ଉଲଙ୍ଘନ କରାଯାଇ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ। ସେହିପରି ବୁଧବାର ଆଲୋଚନା ଐତିହାସିକ ନାଗରିକତା ସଂଶୋଧନ ବିଧେୟକ – ୨୦୧୯ ରାଜ୍ୟସଭାରେ ଅନୁମୋଦନ ଲାଭ କରିଥିଲା।ଏହା ସପକ୍ଷରେ ୧୨୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୦୫ଟି ଭୋଟ ମିଳିଥିଲା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ