୧୭ରେ ନିର୍ଭୟା ଦୋଷୀର ଆବେଦନ ଶୁଣାଣି
ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହଙ୍କ ସମୀକ୍ଷା ଆବେଦନ ଉପରେ ମାନ୍ୟବର ସୁପ୍ରିମକୋର୍ଟ ଶୁଣାଣି କରିବେ। ଗୁରୁବାର କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ୧୭ ତାରିଖ ଅପରାହ୍ନ ୨ଟାରେ ଅକ୍ଷୟଙ୍କ ଆବେଦନର ଶୁଣାଣି କରିବେ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ ପଟିଆଲା କୋର୍ଟ ମାମଲାର ସମସ୍ତ ପକ୍ଷଙ୍କୁ ଶୁକ୍ରବାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନ ଠିକ୍ ୧୦ଟାରେ ସବୁ ପକ୍ଷ କୋର୍ଟ ରୁମରେ ହାଜର ହେବାକୁ କୁହାଯାଇଛି। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ଦୋଷୀମାନେ ଭିଡିଓ କନ୍ଫରେନ୍ସ ଜରିଆରେ ହାଜର ହେବେ। ତିହାର ଜେଲ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଜେଲ କର୍ତ୍ତୃପକ୍ଷ ପଟିଆଲା କୋର୍ଟରେ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବେ। ଏଥିରେ ରାଜକ୍ଷମା ପାଇଁ ଆବେଦନ କରିଥିବା ଦୋଷୀ ବିନୟ ଏବଂ ଅକ୍ଷୟଙ୍କୁ ବାଦ୍ ଦିଆଯିବ। ଅନ୍ୟ ଦୋଷୀମାନେ ବର୍ତ୍ତମାନ ସୁଦ୍ଧା ରାଜକ୍ଷମା ଆବେଦନ କରିନାହାନ୍ତି। ବିନୟଙ୍କ ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ରହିଛି।


