ନାରୀସିମା ଗାଁରୁ ଗୋଟିଏ ରାତିରେ ତିନୋଟି ସ୍ଥାନରୁ ଚୋରୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅଧିନ ରୋହିଆ ପଂଚାୟତର ନାରୀସିମା ଗାଁରୁ ଗୁରୁବାର ରାତିରେ ତିନୋଟି ସ୍ଥାନରୁ ଚୋରୀ ଯାଇଥିବା ଅଭିଯୋଗ ହୋଇଛି । ସୁମିତ୍ରା ଦାସଙ୍କ ଅଭିଯୋଗକୁ ଭିିତିକରି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିବା ଜଣାଯାଇଛି । ସୁମିତ୍ରାଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ବାହାରେ ରହି କାର୍ଯ୍ୟ କରୁଛନ୍ତି । ଗୁରୁବାର ରାତିରେ ତାଙ୍କ ପରିବାର ଲୋକ ଘରେ ଶୋଇଥିଲେ । ଏହା ସୁଯୋଗ ନେଇ ଦୁର୍ବୃତମାନେ ତାଙ୍କ ଛାତ ଘରର ତାଲା ଭାଙ୍ଗି ଝିଅ ବାହାଘର ପାଇଁ ଘରେ ରଖିଥିବା ଦୁଇଟି ସଙ୍ଖା, ଗୋଟିଏ ମଙ୍ଗଳସୁତ୍ର, ମୁଦି ୪ଟା, କାନଫୁଲ ଏକ ହଳ, ନାକ ଫୁଲ ଦୁଇ ହଳ, ସୁନା ଚେନ୍ ଗୋଟିଏ ଓ ନଗଦ ୩୦ ହଜାର ଟଙ୍କା ଆଦି ଚୋରି କରିନେଇଛନ୍ତି । ଯାହାକୁ କି ଭୋରୁ ଉଠି ଜାଣିବାକୁ ପାଇଲି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସୁମିତ୍ରାଙ୍କ ଅଭିଯୋଗକୁ ଭିିତିକରି ପୋଲିସ ପକ୍ଷରୁ ୧୯୫/୨୨ରେ ଏକ ମାମଲା ରୁଜୁ କରାଯାଇ ସନ୍ଧାନୀ କୁକୁର ସହାୟତା ନିଆଯାଇ ତଦନ୍ତ ଚାଲୁ ରହିଥିବା ଥାନା ଉପନିରୀକ୍ଷକ ରଘୁନାଥ ଟୁଡୁ କହିଛନ୍ତି । ସେହି ରାତିରେ ଉକ୍ତ ଗାଁର ପ୍ରହଲ୍ଲାଦ ଦାସ ଓ ଶିବପ୍ରସାଦ ଦାସଙ୍କ ଘରୁ ଚୋରି ଯାଇଥିବା ଅଭିଯୋଗ ହୋଇଛି ।


