ନାଳରେ ପଡି ରିକ୍ସାଚାଳକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ କଣ୍ଡରାସାହି ଠାରେ ଥିବା ଏକ ନାଳରେ ଜଣେ ରିକ୍ସା ଚାଳକ ପଡି ମୃତ୍ୟୁବରଣ କରିଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ସୂଚନା ପ୍ରକାରେ ଏମ୍.ଶ୍ରୀନୁ (୫୦) ନାମକ ଜଣେ ବ୍ୟକ୍ତି କଣ୍ଡରା ସାହି ଠାରେ ଥିବା ନାଳ ଉପରେ ଥିବା ପାଚେରୀ ଉପରେ ବସିଥିଲେ । ହେଲେ କୌଣସି କାରଣରୁ ସେ ନାଳ ମଧ୍ୟରେ ପଡିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚ କ୍ଷତାକ୍ତ ଶବକୁ ଜବତ କରିବା ସହ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏନେଇ ପାରଳା ଆଦର୍ଶ ଥାନାରେ ୮/୨୨ରେ ଏକ ଅପମୃତ୍ୟୁମାମଲା ରୁଜୁ କରାଯାଇ ଘଟଣାର ଅଧିକା ତଦନ୍ତ କରାଯାଉଥିବାର ଥାନା ସୂତ୍ରରୁ ପ୍ରକାଶ ।


