ନିଜ ମଣିଷ ମିଛ ସମ୍ପର୍କ
ଦିପ୍ତିମୟୀ ନାୟକ
ନିଜର ମଣିଷ କେବେ କଷ୍ଟ ଦିଏନି | କିନ୍ତୁ ଏଠି ନିଜର କହି ମିଛ ଭଲପାଇବାରେ ମଣିଷ ମଣିଷକୁ ଅଢେଇଦିନ ପାଇଁ ତା ପ୍ରେମ ଜାଲରେ ବାନ୍ଧି ରଖେ ଯେମିତି ଲାଗେ ଏ ମନ ଅତି ନିଜର ମଣିଷଟାକୁ କେଇକ୍ଷଣୀରେ ପାଇ ତାକୁ ଅତି ନିଜର କରିଦେଇଛି ହେଲେ ବାସ୍ତବରେ ସେହିମାନେ କେବେ ନିଜର ହୋଇନଥାନ୍ତି | ମିଛ ପ୍ରେମ, ମିଛ ସ୍ନେହରେ ମଣିଷ କେବଳ ବାନ୍ଧି ହୋଇଯାଏ ସିନା ହେଲେ ବାସ୍ତବ ଜୀବନରେ ବାସ୍ତବ ପ୍ରେମ ଠାରୁ ଏହି ମଣିଷ ବହୁ ଦୂରରେ ଥାଏ | ସତ କହିବାକୁ ଗଲେ ଏ ହୃଦୟରେ ଯେତିକି କ୍ଷତ ନଥାଏ ସେତିକି ଆଞ୍ଜୁଳାଏ ଆଞ୍ଜୁଳାଏ ଲୁହ ଆଖିରେ ଆସି ହୃଦୟର ସ୍ପନ୍ଦନକୁ ଦୋହଲେଇ ଦେଉଥାଏ | ସ୍ୱାର୍ଥପରତାର କଷ୍ଟ ପ୍ରତି ମୁହୂର୍ତ୍ତରେ ନିଜ ଅନ୍ତରଆତ୍ମାକୁ ଖାଇ ଯାଉଥାଏ | ହୁଏତ ମଣିଷ ଯଦି ଆହତ ହୋଇଯାଆନ୍ତା ତାହାଲେ ଲାଲ ରକ୍ତର ଛିଟା କିଛି ଦିନ ପାଇଁ ଶରୀରକୁ କଷ୍ଟ ଦିଅନ୍ତା ହେଲେ ଏ ହୃଦୟ ଯଦି ଆଜି କାହା ଆଘାତ ପାଇ ଆହତ ହେଉଛି ଅଶାନ୍ତ ଅତୃପ୍ତ ହୋଇ ନିଜ ଭିତରେ ସେ ନିଜେ ଜଳି ମରୁଛି | ସତକଥା କହିବାକୁ ଗଲେ କେହି କାହାକୁ ନିଜର କହିଦେଲେ ସେ ଆପଣାର ହୋଇଯାଏନି | ସମ୍ପର୍କ ହୃଦୟରୁ ଗଢ଼ା ହୋଇଥାଏ ଆଉ ଯେଉଁ ସମ୍ପର୍କରେ ବାଧ୍ୟତାରେ ଗଢ଼ା ଯାଇଥାଏ ସେ ସମ୍ପର୍କ କେବେ ସମ୍ପର୍କ ହୋଇନଥାଏ | କିନ୍ତୁ ଏ ମଣିଷ ବୁଝେନି ଅନ୍ୟର ମିଛ ଭଲପାଇବାକୁ ସତ ଭାବିଦିଏ ସେଥିପାଇଁ ସେ ତା ଜୀବନରେ ଅନେକ କଷ୍ଟ ପାଉଥାଏ | ସମ୍ପର୍କର ମୂଲ୍ୟ ବୁଝୁଥିବା ଲୋକ କେବେ ସମ୍ପର୍କ ଭାଙ୍ଗେନି କିନ୍ତୁ ଆଜିର ମଣିଷ ସମ୍ପର୍କର ମୂଲ୍ୟ ବୁଝେନି ସେଥିପାଇଁ ସେ ପ୍ରତ୍ୟେକ ସମ୍ପର୍କକୁ ତୁଚ୍ଛ ମନେ କରି ଅନ୍ୟକୁ କଷ୍ଟ ଦିଏ ହେଲେ ସେ ଜାଣିନଥାଏ ସମୟ ଆଉ ସମ୍ପର୍କ ସବୁବେଳେ ସମାନ ରୁହେନି | ମିଛ ଅଣଦେଖା ହେଉ କି ଧୋକା ସବୁବେଳେ ସମାନ ମଣିଷ ପାଏନି ସେଥିପାଇଁ ହୁଏତ ଆଜିର ମଣିଷ ଯାହାଠୁ ଧୋକା ଖାଏ ତାକୁ ନିଜର କୁହେ ଆଉ ଯିଏ ଅଣଦେଖା କରେ ତା ପଛରେ ଗୋଡ଼ାଇଥାଏ | ତେବେ କାହାକୁ ନିଜର କରିବା ପୂର୍ବରୁ ଥରେ ଭାବି ଦିଅନ୍ତୁ ସେ କେତେ ଦିନ ପାଇଁ ତୁମ ନିଜର | କାହିଁକି ନା ଆଜିର ମଣିଷ ନିଜ ମଣିଷ ହୋଇପାରେ ଆଉ ମିଛରେ ବି ଅଢେଇ ଦିନର ସମ୍ପର୍କ ଗଢ଼ିପାରେ | କିନ୍ତୁ ସତରେ ତୁମ ନିଜର ହୋଇପାରେନି | ସମ୍ପର୍କ ଗୋଟେ ମାୟାଜାଲ ଭଳି ଥରେ ଏ ମାୟାଜାଲ ରୂପକ ସମ୍ପର୍କରେ ଛନ୍ଦି ହୋଇଗଲେ ଏଥିରୁ ମୁକୁଳିବା ବି ବହୁତ କଷ୍ଟ ହୋଇଥାଏ | କାହିଁକି ନା ଆମେମାନେ ସେମାନଙ୍କ ସହ କଥା ହେବା, ମିଶିବା, ବୁଲିବା, ଜୀବନର ସବୁ ସୁଖ ଦୁଃଖ ମିଶିକି ବାଣ୍ଟିବା ଦ୍ୱାରା ସମ୍ପର୍କ ଗୋଟେ ମାୟାଜାଲ ଭଳି ହୁଏ ସେଥିପାଇଁ କିଏ ହସାଏ କିଏ କନ୍ଦାଏ ଆଉ କିଏ ନିଜର ହେବାର ବାହାନା କରେ | ତେବେ ଯଦି ଆପଣ କାହାକୁ ବିଶ୍ୱାସ କରୁଛନ୍ତି କାହାକୁ ନିଜର ବୋଲି ଭାବିଦେଇଛନ୍ତି ତେବେ ଆପଣ ମଝିରେ ମଝିରେ ସେମାନଙ୍କୁ ଟିକେ ପରଖି ଦେଖନ୍ତୁ ସତରେ କଣ ସେମାନେ ତୁମ ନିଜର | ଅନେକ ସମୟରେ ଏ ମଣିଷ ସମସ୍ତଙ୍କୁ ନିଜର କୁହେ ବୋଲି ସେହି ନିଜର ମଣିଷ ପର କରିଦିଏ | ଆଖି ବୁଜି କାହାକୁ ବିଶ୍ୱାସ କରିବା ପୂର୍ବରୁ ଥରେ ଆଖି ଖୋଲି ବିଶ୍ୱାସ କରନ୍ତୁ ଦେଖିବେ ଆପଣଙ୍କର ସବୁ ଦ୍ଵନ୍ଦ ଦୂର ହୋଇଯିବ | ମନକୁ ମନ ମିଶିଗଲେ ସମ୍ପର୍କ ଗଢି ହୋଇଯାଏନି କାହିଁକି ନା ମନକୁ ମନ ମିଶେଇବାକୁ ହେଲେ ସଚୋଟତା ଥିବା ଦରକାର ଆଉ ଯେଉଁଠି ସଚୋଟତା ନଥାଏ କେବଳ ମିଛରେ ସମ୍ପର୍କ ଗଢ଼ା ହୋଇଥାଏ ସେଠି କେବଳ ଗର୍ବ ଅହଂକାର ହିଁ ଏହି ସମ୍ପର୍କକୁ କିଛି କ୍ଷଣୀରେ ଭାଙ୍ଗି ଦେଇଥାଏ | ନିଜ ଲୋକ କେବଳ ନିଜର ହୋଇଥାନ୍ତି ଆଉ ପର ଲୋକ ସବୁବେଳେ ପର ହୋଇଥାନ୍ତି | ନିଜ ଲୋକ କେବେ ଆଖିରେ ଲୁହ ଦିଅନ୍ତିନି କିନ୍ତୁ ପର ଲୋକ ସବୁବେଳେ ଆଗରେ ଭଲ ହୋଇ ବିଶ୍ୱାସରେ ବିଷ ଦେଇଦିଅନ୍ତି | ନିଜ ଲୋକ ପାଖରେ ଥିଲେ କିଛି ଅସୁବିଧା ନଥାଏ କିନ୍ତୁ ପର ଲୋକଙ୍କୁ ଥରେ ନିଜର ଭାବିଦେଲେ ମିଛ ବିଶ୍ୱାସକୁ ନେଇ ବଞ୍ଚିବା ବହୁତ କଷ୍ଟକର ହୋଇଯାଏ | ତେବେ ମଣିଷ କରିବ ତ କଣ କରିବ ଆଉ କାହାକୁ ବିଶ୍ୱାସ କରିବ ଟିକେ ସୁଖ ଦୁଃଖ ବାଣ୍ଟୁ ବାଣ୍ଟୁ ମଣିଷ ଯାହାକୁ ନିଜର ଭାବି ଦିଏ ସେହି ନିଜର ଲୋକଟା ହିଁ ତା ସରଳତାର ସୁଯୋଗ ଉଠାଇଦିଏ | ଆଜିର ଦୁନିଆରେ କିଛି ସମ୍ପର୍କ ସ୍ୱାର୍ଥରେ ବନ୍ଧା | ସ୍ୱାର୍ଥ ଯେତେ ଦିନ ସମ୍ପର୍କ ସେତେଦିନ | ତେଣୁ ମିଛ ସମ୍ପର୍କରେ ବେଶି ବିଶ୍ୱାସ କରିବା କିଛି ଆବଶ୍ୟକ ନାହିଁ | ଯଦି ଆପଣ ସବୁ ଜାଣି ଚୁପ ବସିବେ ତେବେ ଆପଣ ହିଁ କଷ୍ଟ ପାଇବେ | ଆପଣଙ୍କୁ ଯିଏ ଯେତିକି ଆଉ ଯେମିତି ଗୁରୁତ୍ୱ ଦେଉଛି ଆପଣ ମଧ୍ୟ ସେମାନଙ୍କୁ ସେତିକି ଗୁରୁତ୍ୱ ଦିଅନ୍ତୁ | କାହିଁକି ନା ସୁଖ ବେଳେ ସମସ୍ତେ ସାଥି ହୋଇ ସାଥିରେ ରୁହନ୍ତି କିନ୍ତୁ ଦୁଃଖ ବେଳେ କେହି ପାଖରେ ନଥାନ୍ତି | କାହାକୁ ନିଜର କହିବା ଆଗରୁ ନିଜ ମନକୁ ପଚାରନ୍ତୁ ଯାହାଙ୍କୁ ଆପଣ ନିଜର କହୁଛନ୍ତି ସେ ଆପଣଙ୍କୁ କେତେ ନିଜର ଭାବନ୍ତି | ତେଣୁ ପ୍ରତ୍ୟେକ ସମ୍ପର୍କରେ ଯଦି ବିଶ୍ୱାସ, ସ୍ନେହ, ଶ୍ରଦ୍ଧା ନ ରହିବ ତେବେ କେମିତି ଗୋଟେ ସମ୍ପର୍କକୁ ମଣିଷ ଏତେ ଗୁରୁତ୍ୱ ଦେବ | ଯେଉଁ ସମ୍ପର୍କରେ କେବଳ ମିଛ ଥିବ ଯେଉଁଠି ଗୋଟେ ହୃଦୟ ଆଉ ଗୋଟେ ହୃଦୟକୁ ବାରମ୍ବାର ଆଘାତ ଦେଉଥିବ ସେଠି କେମିତି ଆଉ କାହିଁକି ଏ ମଣିଷ କାନ୍ଦୁଥିବ | ତେବେ ଯେଉଁମାନେ ଆପଣଙ୍କୁ ଗୁରୁତ୍ୱ ଦିଅନ୍ତି ଆପଣ ସେହିମାନଙ୍କୁ କେବେ ଅଣଦେଖା କରି ମିଛ ବାହାନା କରନ୍ତୁନି କାହିଁକି ନା ଆଜିର ଦିନରେ କେହି କାହା ନିଜ ଜୀବନରେ ବାସ୍ତବ ପ୍ରେମ ପାଇନି କି ବାସ୍ତବରେ ହୃଦୟକୁ ଜାଣି ଆଉ ଜଣକୁ ହୃଦୟ ଦେଇନି ତେଣୁ ତମ ପାଇଁ ଯିଏ ହୃଦୟ ଦେଇ ତମକୁ ଭଲପାଉଛି ତମେ କାହିଁକି ତାକୁ ହୃଦୟ ଦେଇ ଭଲପାଇପାରିବନି | ସମ୍ପର୍କ ଗଢିବା ପୂର୍ବରୁ ଯେମିତି ସମ୍ପର୍କ ଥିଲା ସେମିତି ସମ୍ପର୍କ ରଖନ୍ତୁ ଏବଂ ନିଜ ସମ୍ପର୍କ ଭିତରେ ମିଛକୁ ଯେମିତି ସାଥି ନକରନ୍ତୁ |


