ନିର୍ମାଣର ୮ମାସ ବିତିଲା, ହସ୍ତାନ୍ତର ହେଉନି ସୁପରିଟେଣ୍ଡଣ୍ଟଙ୍କ ଗୃହ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହଦଗଡ ଆଞ୍ଚଳିକ ହାଇସ୍କୁଲରେ ନିର୍ମାଣର ଆଠ ମାସ ପରେ ବି ନୁଆକରି ନିର୍ମାଣ ହୋଇଥିବା ସୁପରିଟେଣ୍ଡଣ୍ଟଙ୍କ ସରକାରୀ ବାସଗୃହ ହସ୍ତାନ୍ତର ହେଉ ନଥିବାରୁ ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୁଚନାରୁ ଜଣାଯାଇଛି ଯେ ହଦଗଡ ଆଞ୍ଚଳିକ ହାଇସ୍କୁଲର ଆଦିବାସୀଛାତ୍ରୀ ନିବାସର ସୁପରିଟେଣ୍ଡଣ୍ଟଙ୍କ ସରକାରୀ ବାସଗୃହ ନିର୍ମାଣ ପାଇଁ ସମ୍ପତ୍ତି ବିକାଶ ସମୃଦ୍ଧି ଅନୁଦାନରେ ୮ଲକ୍ଷ୪୫ହଜାର୨୭୭ଟଙ୍କା ଯୋଗାଇ ଦିଆଯାଇଥିଲା । ଆଇଟିଡିଏ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରାଯାଉଥିବାବେଳେ ଠିକାଦାର ଗତ ଡିସେମ୍ବର ମାସରୁ ଏହାର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରିଦେଇଥିଲେ । ଏହି ବିଦ୍ୟାଳୟରେ ଥିବା ଆଦିବାସୀ ଛାତ୍ରୀ ନିବାସଟି ଜରାଜିର୍ଣ୍ଣ ଅବସ୍ଥାକୁ ଆସିଥିବାବେଳେ ସମସ୍ତ ଛାତ୍ରୀ ଭଲଭାବେ ରହି ପାରୁ ନାହାନ୍ତି । ଏହାର ସମ୍ମୁଖ ଗେଟଟି ମଧ୍ୟ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଫଳରେ ଛାତ୍ରୀମାନେ ନାନା ସମସ୍ୟା ଭିତରେ ଛାତ୍ରୀ ନିବାସରେ ରହୁଛନ୍ତି । ଏପରିସ୍ଥଳେ ନବ ନିର୍ମିତ ସରକାରୀ ବାସଗୃହଟି ଖୋଲା ଥିଲେ ସେଠାରେ କିଛି ଛାତ୍ରୀ ରହିପାରନ୍ତେ ବୋଲି ସୁପରିଟେଣ୍ଡଣ୍ଟ କହିଛନ୍ତି । କିନ୍ତୁ ଆଜକୁ ୮ମାସ ହେଲା କାମ ସସମ୍ପୁର୍ଣ୍ଣ ହୋଇଥିଲେବି ଘରଟିରେ ଚାବି ପଡିଥିବା ଓ ତାହା ବିଦ୍ୟାଳୟକୁ ହସ୍ତାନ୍ତର ହେଉ ନଥିବାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ସେମାନେ ପଞ୍ଚାୟତର ସରପଞ୍ଚ ନିରୁପମା ନନ୍ଦୀଙ୍କୁ ଭେଟି ସମସ୍ୟା ଜଣାଇ ଏହାର ପ୍ରତିକାର ଦାବି କରିଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏ ସମ୍ପର୍କରେ ମୁଁ ଜାଣି ନଥିଲି । ଯଦି ଚାବି ପଡିଥାଏ ତେବେ ତୁରନ୍ତ ଚାବିଖୋଲି ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଘରଟି ହସ୍ତାନ୍ତର କରିବୁ ବୋଲି କହିଛନ୍ତି ।