ସରକାରଙ୍କ ବିଚାରାଧିନରେ ରହିଛି ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ନବୀକରଣ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତଙ୍କୁ ସରକାରଙ୍କ ପକ୍ଷରୁ ଅଧିସ୍ୱୀକୃତି ପ୍ରଦାନ କରାଯାଇଥାଏ । ରେଳଯାତ୍ରାରେ ରିହାତି ପ୍ରଦାନ ପାଇଁ ଏହି ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କ ନିମନ୍ତେ ଆବଶ୍ୟକୀ ପାସ ପ୍ରଦାନ ପାଇଁ ରେଳ ବିଭାଗକୁ ରାଜ୍ୟ ସରକାର ସୁପାରିଶ କରିଥାଆନ୍ତି । ଏହା ସହିତ ନୂଆଦିଲ୍ଲୀ ସ୍ଥିତ ଓଡିଶା ନିବାସ, କୋଲକତା ସ୍ଥିତ ଉତ୍କଳ ଭବନ, ମୁମ୍ବାଇ ସ୍ଥିତ ଓଡିଶା ଭବନ ତଥା ଅନ୍ୟାନ୍ୟ ସରକାରୀ ଡାକବଙ୍ଗଳାମାନଙ୍କରେ ରହଣୀ ନିମନ୍ତେ ଅଧିସ୍ୱୀକୃତି ସାମ୍ବାଦିକଙ୍କୁ ରିହାତି ଦରରେ ଆରକ୍ଷଣ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସରକାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିଥାଆନ୍ତି । ଓଡିଶା କର୍ମଜୀବି ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧିନିୟମ, ୨୦୦୬, ଅନୁଯାୟୀ ଓଡିଶା କର୍ମଜିବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରକାରର ଆର୍ôଥକ ସହାୟତା ପ୍ରଦାନ ନେଇ ବ୍ୟବସ୍ଥା ରହିଛି । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁରେ ୪ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଏବଂ ଦୁର୍ଘଟଣାଜନୀତ ସମ୍ପୂର୍ଣ୍ଣ ଅକ୍ଷମତା ପାଇଁ ୨ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି କାର୍ଯ୍ୟରତ ସମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ସହାୟତା ଭାବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା ଓ ଉଚ୍ଚ ଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯାଉଛି । ପୂର୍ବରୁ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି । କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଥିବା ବେଳେ ଆବଶ୍ୟକ ସ୍ଥଳେ ରାଜ୍ୟ ସ୍ୱାସ୍ଥ୍ୟଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଚିକିତ୍ସା ପାଇଁ ଅଧିକ ସହାୟତା ଦେବାର ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସରକାରୀ ସହାୟତାର ବ୍ୟବସ୍ଥା କରାଯାଇଛି । ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ଭଳି ସଂସ୍ଥାଗୁଡ଼ିକରେ ରାଜ୍ୟ ସରକାର ୫ ବର୍ଷୀୟ ପାଠ୍ୟକ୍ରମରେ ପ୍ରତ୍ୟେକ ସାମ୍ବାଦିକଙ୍କ ପାଇଁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ସରକାର ବହନ କରିବା ନେଇ ବ୍ୟବସ୍ଥା ରହିଛି । ସର୍ବୋପରି ରଥଯାତ୍ରା ବିବରଣୀ ସଂଗ୍ରହ କରିବାକୁ ରାଜ୍ୟସ୍ତରୀୟ ସାମ୍ବାଦିକମାନଙ୍କ ପାଇଁ ପୁରୀ ଯିବାର ବ୍ୟବସ୍ଥା କରାଯାଇଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସ୍ପଷ୍ଟିକରଣ ଦେଇଛନ୍ତି । ସାମ୍ବାଦିକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ ହେଉଥିବା ସୁବିଧା ଓ ସୁଯୋଗ ସମ୍ପର୍କରେ ବିଧାନସଭାର ପ୍ରଶ୍ନକାଳରେ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ସେହିପରି ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟବୀମା ନବୀକରଣ ସମ୍ପର୍କରେ ଶ୍ରୀ ଦତ୍ତ ପଚାରିଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ନବୀକରଣ ପ୍ରସ୍ତାବ ସମ୍ପ୍ରତି ସରକାରର ବିଚାରଧୀନ ରହିଛି । ତେବେ ବାଲେଶ୍ୱର ଠାରେ ସାମ୍ବାଦିକଙ୍କ ପାଇଁ ଏକ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠର ଆବଶ୍ୟକତା ଥିବା ନେଇ ବିଧାୟକ ଶ୍ରୀ ଦତ୍ତ ଦୃଷ୍ଟି ଆକର୍ଷଣ କହିଥିଲେ ହେଁ ସରକାରଙ୍କ ନିକଟରେ ସେମିତି କୌଣସି ପ୍ରସ୍ତାବ ନାହିଁ ବୋଲି ଉତ୍ତର ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ।


