ନିର୍ମାଣ ଶ୍ରମିକ ସଂଘ ସମୂହ ସମନ୍ୱୟ ସମିତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତିର ଏକ ବୈଠକ ସିଆଇଟିୟୁର ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ସମନ୍ୱୟ ସମିତିର ସଂପାଦକ ତଥା ଆବାହକ ବିଜୟ ପାତ୍ର ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ । ନିର୍ମାଣ ଶ୍ରମିକମାନଙ୍କ ସମସ୍ୟା ସମାଧାନରେ ଜିଲା ଶ୍ରମ ଦପ୍ତରର ସ୍ୱଚ୍ଛତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବିଭିନ୍ନ ସଂଘର ନେତୃବୃନ୍ଦ ଏହି ବୈଠକରେ ଉଦବେଗ ପ୍ରକାଶ କରିଥିଲେ । ଏନେଇ ଆସନ୍ତା ସପ୍ତାହରେ ଜିଲା ଶ୍ରମ ଦପ୍ତର ଅଧିକାରୀଙ୍କ ସହ ସମନ୍ୱୟ ସମିତି ପ୍ରତିନିଧିମାନଙ୍କର ଏକ ଆଲୋଚନା ପାଇଁ ସ୍ଥିର ହୋଇଛି । ଶ୍ରମିକ ସଂଘର ନେତୃତ୍ୱଙ୍କ ବ୍ୟତୀତ କେତେକ ବାହାର ଲୋକ ଶ୍ରମଦପ୍ତରରେ ଅଣଶ୍ରମିକମାନଙ୍କର ପଞ୍ଜୀକରଣ ଓ ସହାୟତା ରାଶି ପ୍ରଦାନ ପାଇଁ ପ୍ରତିଦିନ ଗହଳି କରୁଥିବାର ବୈଠକରେ ଅଭିଯୋଗ ହୋଇଥିଲା । ସମନ୍ୱୟ ସମିତି ସହ ସଂଯୁକ୍ତ ସଂଘମାନେ ଶୃଙ୍ଖଳା ରକ୍ଷା କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତୀତ ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ମେହନତି ମଣିଷର ସ୍ୱାର୍ଥରକ୍ଷା ପାଇଁ ଭୁବନେଶ୍ୱର ସମାବେଶକୁ ସଫଳ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । କୋଷାଧ୍ୟକ୍ଷ ଦାୟିତ୍ୱରେ ଥିବା ସଂଜୟ ସାସମଲଙ୍କୁ ସହାୟତା ପାଇଁ ବେଣୁଧର ମହାନ୍ତିଙ୍କ ନାମ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଛି । ଏହି ବୈଠକରେ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ପୀତାମ୍ବର ମାଝୀ, ପ୍ରଶାନ୍ତ ପରିଡ଼ା, ହରିଶ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଜେନା, ଗୋପାଳ ନାୟକ, ସୁବ୍ରତ ପ୍ରଧାନ, ସରୋଜ ପାଣିଗ୍ରାହୀ, ଶଶିକାନ୍ତ ବେହେରା, ବିନୟ ପରମାଣିକ, ଶ୍ୟାମସୁନ୍ଦର ଜେନା, ଉମାକାନ୍ତ ଜେନା, ରଂଯୁକ୍ତା ଓଝା ଓ ସନ୍ତୋଷ ରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିକାଶ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


