ନିୟମିତ କ୍ଷୀର ସେବନ ବଢ଼ାଏ କ୍ୟାନ୍ସରର ଆଶଙ୍କା
ଯେଉଁ ମହିଳାମାନେ କ୍ଷୀର ପିଇବାକୁ ବହୁତ ପସନ୍ଦ କରନ୍ତି, ସେମାନଙ୍କୁ ଏହି ଖବର ଚକିତ କରିପାରେ। କ୍ଷୀରକୁ ସବୁଠାରୁ ସ୍ବାସ୍ଥ୍ୟକର ଡ୍ରିଙ୍କସ୍ କହି ପିଲା ଦିନୁ ମା’ବାପାମାନେ ସେବନ କରାଇଥାନ୍ତି। କ୍ଷୀରକୁ କ୍ୟାଲ୍ସିୟମର ଉତ୍ତମ ସ୍ରୋତ ବୋଲି କୁହାଯାଏ। ଏହା ହାଡ଼କୁ ଶକ୍ତ କରିଥାଏ। କିନ୍ତୁ ଏବେ ଏହା କ୍ୟାନ୍ସରର କାରଣ ମଧ୍ୟ ପାଲଟିବାରେ ଲାଗିଛି। ନିୟମିତ ଭାବେ କ୍ଷୀର ସେବନ କରିବା ଫଳରେ ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନ୍ସର ଆଶଙ୍କା ୮୦ ପ୍ରତିଶତ ଯାଏ ବଢ଼ିଯାଏ। ଏକ ନୂଆ ଗବେଷଣାରୁ ଏହା ଜଣାପଡ଼ିଛି।
୨-୩ କପ୍ କ୍ଷୀର ବଢ଼ାଏ ବ୍ରେଷ୍ଟ କ୍ୟାନ୍ସର ଆଶଙ୍କା
ଆମେରିକାର କାର୍ଲିଫର୍ଣ୍ଣିଆସ୍ଥିତ ଲୋମା ଲିଣ୍ଡା ୟୁନିଭର୍ସିଟିରେ ଏହି ଗବେଷଣା ହୋଇଛି, ଯେଉଁଥିରେ ଗବେଷକମାନେ କେତେକ ଚକିତ କରିବା ଭଳି ତଥ୍ୟ ପ୍ରକାଶ କରିଛନ୍ତି। ଗବେଷଣା ମୁତାବକ ପ୍ରତ୍ୟେକ ଦିନ ୧ କପ୍ ଅର୍ଥାତ୍ ପାଖାପାଖି ୨୫୦ ମିଲି କ୍ଷୀର ପିଇବା ଫଳରେ ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନ୍ସର ଆଶଙ୍କା ୫୦ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ। ସେହିପରି ଯେଉଁ ମହିଳାମାନେ ପ୍ରତ୍ୟେକ ଦିନ ୨ରୁ ୩ କପ୍ କ୍ଷୀର ସେବନ କରିଥାନ୍ତି, ସେମାନଙ୍କଠାରେ ବ୍ରେଷ୍ଟ କ୍ୟାନ୍ସର ଆଶଙ୍କା ୭୦ରୁ ୮୦ ପ୍ରତିଶତ ଯାଏ ବଢ଼ିଯାଏ। ଗବେଷଣାର ନେତୃତ୍ବ ନେଇଥିବା ଗ୍ୟାରୀ ଇ ଫ୍ରେଜର କହିଛନ୍ତି ଯେ ତାଙ୍କ ପାଖରେ ସ୍ପଷ୍ଟ ପ୍ରମାଣ ରହିଛି ଯେ ପ୍ରତିଦିନ କ୍ଷୀର ସେବନ କରିବା ଫଳରେ ଏଥିରେ ଥିବା କେତେକ ତତ୍ତ୍ବ ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନ୍ସର ଆଶଙ୍କା ବଢ଼ାଉଛି।
୮ ମାସ ଯାଏ ରଖିଥିଲେ ନଜର
ଏହି ଗବେଷଣାର ଫଳାଫଳ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଏପିଡେମୋଲୋଜିରେ ପ୍ରକାଶ କରାଯାଇଛି। ଏହି ଗବେଷଣାରେ ୧୦୦ କିମ୍ବା ୨୦୦ ନୁହେଁ, ବରଂ ଉତ୍ତର ଆମେରିକାର ୫୩ ହଜାର ମହିଳାଙ୍କୁ ସାମିଲ୍ କରାଯାଇଥିଲା। ଏହି ମହିଳାମାନଙ୍କ ଡାଏଟ୍ ସହିତ ଜଡ଼ିତ ନିୟମିତ ଅଭ୍ୟାସକୁ ନିକଟରୁ ୮ ବର୍ଷ ଯାଏ ନଜର ରଖାଯାଇଥିଲା। ଏହି ସବୁ ମହିଳାମାନେ ଗବେଷଣାରେ ସାମିଲ୍ ହେବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ କ୍ୟାନ୍ସର ଫ୍ରି ଥିଲେ। ଗବେଷଣା ସମୟରେ ମହିଳାଙ୍କୁ ସେମାନଙ୍କ ଡାଏଟ୍ ଓ ଖାଦ୍ୟପେୟ ଅଭ୍ୟାସ ସହିତ ଜଡ଼ିତ ଅନେକ ପ୍ରଶ୍ନ କରାଯାଇଥିଲା। ଏହାବ୍ୟତୀତ ବ୍ରେଷ୍ଟ କ୍ୟାନ୍ସରର ଫ୍ୟାମିଲ୍ ହିଷ୍ଟ୍ରି, ହର୍ମୋନ୍ ସହିତ ଜଡ଼ିତ କୌଣସି ସମସ୍ୟା ରହିଛି କି ନାହିଁ, କୌଣସି ପ୍ରକାରର ଔଷଧ ଖାଉଛନ୍ତି କି ନାହିଁ, ପ୍ରଜନନ ଓ ଗାଇନାକୋଲୋଜି ସହିତ ଜଡ଼ିତ କୌଣସି ସମସ୍ୟା ଅଛି କି ନାହିଁ ଏ ସମ୍ପର୍କରେ ମହିଳାଙ୍କୁ ପଚରା ଯାଇଥିଲା।
ଗାଈ କ୍ଷୀରରେ ଥିବା ହର୍ମୋନ ହୋଇପାରେ ଦାୟୀ
ଯଦିଓ ଏହି ଗବେଷଣାରେ କେବଳ ନିରୀକ୍ଷଣ କରାଯାଇଥିଲା କିନ୍ତୁ କ୍ଷୀର ପିଇବା ଫଳରେ କ୍ୟାନ୍ସର କାହିଁକି ହୋଇଥାଏ, ଏହାର କାରଣ ପ୍ରମାଣ ହୋଇପାରି ନାହିଁ। କିନ୍ତୁ ବୈଜ୍ଞାନିକଙ୍କ କହିବାନୁସାରେ ଗାଈ କ୍ଷୀରରେ ଥିବା ଏକ ପ୍ରକାରର ହର୍ମୋନ୍ ଏଥିପାଇଁ ଦାୟୀ ହୋଇପାରେ। ଏହି ଗବେଷଣା ଶେଷ ହେବା ବେଳକୁ ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନ୍ସରର ୧୧୦୦ ନୂଆ ମାମଲା ସାମ୍ନାକୁ ଆସି ସାରିଥିଲା। କ୍ୟାନ୍ସର ରିସ୍କର ସମ୍ପର୍କ ଫୁଲ୍ ଫ୍ୟାଟ୍ ମିଲ୍କ, ଲୋ ଫ୍ୟାଟ୍ ମିଲ୍କ କିମ୍ବା ନୋ ଫ୍ୟାଟ୍ ମିଲ୍କରେ ନ ଥାଏ। ଏହି ତିନି ପ୍ରକାରର କ୍ଷୀର ସେବନ କରିବା ଦ୍ବାରା ବ୍ରେଷ୍ଟ କ୍ୟାନ୍ସର ଆଶଙ୍କା ବଢ଼ୁଥିବା ଗବେଷଣାରୁ ଜଣାପଡ଼ିଛି।
ପ୍ରତି ୮ ଜଣରେ ଜଣେ ମହିଳା ବ୍ରେଷ୍ଟ କ୍ୟାନ୍ସରର ଶିକାର
ବ୍ରେଷ୍ଟ କ୍ୟାନ୍ସର ମହିଳାଙ୍କଠାରେ ଦେଖାଯାଉଥିବା ଦ୍ବିତୀୟ ସାଧାରଣ କ୍ୟାନ୍ସର ପାଲଟିଛି। ତଥ୍ୟ ଅନୁସାରେ ଭାରତରେ ପ୍ରତି ୮ ଜଣରେ ଜଣେ ମହିଳା ବ୍ରେଷ୍ଟ କ୍ୟାନ୍ସରର ଶିକାର ହୋଇଥାନ୍ତି। ତେଣୁ ଏହି କ୍ୟାନ୍ସରର ଲକ୍ଷଣ ଦେଖାଗଲେ ଠିକ୍ ସମୟରେ ପରୀକ୍ଷା କରିବା ଉଚିତ। ନ୍ୟାସନାଲ ବ୍ରେଷ୍ଟ କ୍ୟାନ୍ସର ଫାଉଣ୍ଡେସନ୍ ଅନୁସାରେ ମଦ୍ୟପାନ, ଧୂମପାନଠାରୁ ଦୂରେଇ ରହିବା ଓ ଖାଦ୍ୟପେୟ ଅଭ୍ୟାସକୁ ଉପଯୁକ୍ତ ରଖିବା ଫଳରେ ବ୍ରେଷ୍ଟ କ୍ୟାନ୍ସରରୁ ରକ୍ଷା ପାଇପାରିବେ।


