ନୂଆସାତଙ୍କର ଅନନ୍ୟ ପଶ୍ଚିମାଭିମୁଖୀ ନାରାୟଣୀ ଦୂର୍ଗା

ନିମାପଡ଼ା,(ସନ୍ତୋଷ ଦାଶ):ପ୍ରାଚୀ ଉପତ୍ୟକାର ନୂଆସାତଙ୍କ ଗ୍ରାମରେ ପୂଜା ପାଉଛନ୍ତି ଚତୁର୍ଭୁଜା ନାରାୟଣୀ ଦୂର୍ଗା। ମନ୍ଦିରଟି ପୁରୁଣା ଇଟାରେ ନିର୍ମିତ ହୋଇଥିବା ବେଳେ ମା ଦୂର୍ଗା ଓ ମନ୍ଦିରଟି ପଶ୍ଚିମାଭିମୁଖୀ ହୋଇଥିବାରୁ ଏହା ଏକ ଅନନ୍ୟ ବିରଳ ମୂର୍ତ୍ତି ଓ ମନ୍ଦିର ବୋଲି ଐତିହାସିକ ସ୍ବର୍ଗତ ହରେକୃଷ୍ଣ ମହତାବ ତାଙ୍କ ରଚିତ ଓଡ଼ିଶା ଇତିହାସ ପୁସ୍ତକରେ ପ୍ରକାଶ କରିଛନ୍ତି। ମନ୍ଦିରଟି ସୁ ଉଚ୍ଚ ଇଟାର ହୋଇଥିବାବେଳେ ମନ୍ଦିରର ମୂଳଦୁଆ କିନ୍ତୁ ପଥରରେ ନିର୍ମିତ ହୋଇଛି। ଏଠାରେ ପୂଜିତ ହେଉଥିବା ମା ଦୂର୍ଗା ଚତୁର୍ଭୁଜା ହୋଇଥିବାବେଳେ ମାଙ୍କ ଉପର ଦୁଇ ହାତରେ ଶଙ୍ଖ ଓ ଚକ୍ର ରହିଛି।ତଳ ଦୁଇ ହାତରେ ମା ଏକ ତ୍ରିଶୂଳ ଧାରଣ କରିଛନ୍ତି ଯାହା ମହିଷାସୁରର ବକ୍ଷ ଭେଦ କରିଛି। ମାଙ୍କ ଦୁଇ ପାଶ୍ୱର ନିମ୍ନ ରେ ଓ ଉର୍ଦ୍ଧ୍ବରେ ଦୁଇ ଜଣ ଲେଖାଏଁ ଚାରିଜଣ ସହଚରୀ ରହିଥିବା ଦେଖିବାକୁ ମିଳେ। ମା ଙ୍କ ମୂର୍ତ୍ତୀଟି କଳା ମୁଗୁନି ପଥରରେ ନିର୍ମିତ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତୀ। ମାଙ୍କ ମୁଣ୍ଡରେ ଚନ୍ଦ୍ର ଓ ତୃତୀୟ ନୟନ ରହିଛି। ମନ୍ଦିର ଭିତରେ ମାଙ୍କ ବାମ ପାର୍ଶ୍ୱରେ ସୂର୍ଯ୍ୟ ଦେବତା ଓ ଆଉ ଏକ ଅଷ୍ଟଭୁଜା ମହିଷାମଦ୍ଦିନୀ ଦୂର୍ଗା ମୂର୍ତ୍ତି ପୂଜା ପାଉଛନ୍ତି । ନିକଟସ୍ଥ ମାଧବ ଗ୍ରାମର ପୁଷ୍ପାଳକ ସେବକମାନେ ଏଠାକୁ ଆସି ନିୟମିତ ମାଙ୍କ ପୂଜା କରିଥାନ୍ତି। ଆଶ୍ଵିନ ମାସ ମୂଳାଷ୍ଟମୀ ଠାରୁ ମାଙ୍କ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା (ଷୋଳ ପୂଜା) ଅନୁଷ୍ଠିତ ହେଉଛି। ଗ୍ରାମବାସୀ ମାନେ ପାଳି କରି ପ୍ରତିଦିନ ଆମିଷ ଭୋଗ ମାଙ୍କୁ ଲାଗି କରୁଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ଅକ୍ଷୟ ତ୍ରିପାଠୀ। ମହାଷ୍ଟମୀ ତିଥିରେ ଦିନ ବେଳା ମାଙ୍କ ଚନ୍ଦନ ବେଶ ଓ ରାତିରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ସେହିଦିନ କୃଷ୍ଣପ୍ରସାଦ ଗଡ଼ର ଗଡୁଆ/ଖଣ୍ଡାୟତ ମାନେ ଏକ ଶୋଭାଯାତ୍ରାରେ ଆସି ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ଓ ମାଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରି ନିଜ ନିଜର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥାନ୍ତି। ରାତିରେ ସମୂହ ଗ୍ରାମବାସୀ ମାନଙ୍କ ପକ୍ଷରୁ ମାଙ୍କ ନିକଟରେ ଜନ୍ତାଳ ଭୋଜି ଅନୁଷ୍ଠିତ ହୋଇଥାଏ। ଉକ୍ତ ମନ୍ଦିରଟି ସୋମବଂଶୀ ଶାସକଙ୍କ ଦ୍ଵାରା ନିର୍ମିତ ହୋଇଥିବା ଐତିହାସିକ ସ୍ବର୍ଗତ ଶ୍ୟାମସୁନ୍ଦର ତ୍ରିପାଠୀ ତାଙ୍କ ଗବେଷଣାତ୍ମକ ଗ୍ରନ୍ଥ “ବୁଦ୍ଧିଜିମ୍ ଆଣ୍ଡ ଅଦର ରିଲିଜିଅସ କଲ୍ଟ ଅଫ ସାଉଥ୍ ଇଷ୍ଟ ଇଣ୍ଡିଆ”ରେ ପ୍ରକାଶ କରିଥିବାବେଳେ ଏହି ନାରାୟଣୀ ଦୂର୍ଗା ମୂର୍ତ୍ତୀଟି ଓଡ଼ିଶାର ଏକ ଅନନ୍ୟ ଓ ବିରଳ ସ୍ଥାପତ୍ୟ ବୋଲି ମତ ପ୍ରକାଶ କରିଛନ୍ତି। ଏହି ବିରଳ ମନ୍ଦିର ଓ ମୂର୍ତ୍ତୀକୁ ସରକାର ସୁରକ୍ଷା ଯୋଗାଇଦେବା ସହିତ ଏହାର ରକ୍ଷଣାବେକ୍ଷଣ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ