ପଂଚାୟତ କାର୍ଯ୍ୟାଳୟରୁ ମାଗଣା ପିଡିଏସ ସାମଗ୍ରୀ ବାଟ ମାରଣା ଅଭିଯୋଗ
ଯୋଡା, (ସମୀର ଦାସ): କେନ୍ଦୁଝର ଜିଲା ଯୋଡା ବ୍ଲକ ଚମକପୁର ଗ୍ରାମ ପଂଚାୟତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମାଗଣା ପିଡିଏସ ସାମଗ୍ରୀ କାର୍ଯ୍ୟାଳୟରୁ ବାଟ ମାରଣା କରାଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, କରୋନାର ସଂକ୍ରମଣର ଭୟାଭୟତା ସମୟରେ ଲୋକଙ୍କୁ କେନ୍ଦ୍ର ସରକାର ମାଗଣା ପିଡିଏସ ସାମଗ୍ରୀ ପ୍ରଦାନ କରିଥିଲେ । ସମୁଦାୟ ୫ମାସ ପର୍ଯ୍ୟନ୍ତ ଲୋକଙ୍କୁ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ପିଡିଏସ ସାମଗ୍ରୀ ପ୍ରଦାନ କରାଯାଇଥିଲା । ହେଲେ ଚମକପୁର ଗ୍ରାମ ପଂଚାୟତର ହିତାଧିକାରୀଙ୍କୁ ୪ମାସର ସାମଗ୍ରୀ ଯୋଗାଇ ଦେଇ ଏକ ମାସର ପିଡିଏସ ସାମଗ୍ରୀକୁ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ ବାଟ ମାରଣା କରାଯାଇଥିବା ଗ୍ରାମର କୁମୁଦିନି ବେହେରା, ରାଜକୁମାରୀ ନାଏକ, ଜୟନ୍ତୀ ଦାସ, ଦ୍ରୌପଦୀ ନାଏକ, ପୁରୁଷତୋମ ନାଏକ, ଦିପକ କାଣ୍ଡି, ରଞ୍ଜିତ ଦାସ, ଲିପୁନ ନାଏକ ପ୍ରମୁଖ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଏକ ମାସର ପିଡିଏସ ସାମଗ୍ରୀ ନ ପାଇବାରୁ ସେମାନେ ସ୍ଥାନୀୟ ସରପଂଚ ନରହରି ନାଏକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବଂ ସରପଂଚ ନାଏକ ମଧ୍ୟ ଏ ସମ୍ପର୍କରେ ଯାଂଚ କରି ଅନୀୟମିତତା ବିଷୟରେ ଜାଣିବାକୁ ପାଇଥିଲେ । ପରେ ସରପଂଚ ନାଏକ ଏ ନେଇ ଲିଖିତ ଭାବେ ଚମ୍ପୁଆ ଉପଜିଲାପାଳଙ୍କୁ ଜଣାଇଥିବା ସେ କହିଛନ୍ତି । ଏ ସମ୍ପର୍କରେ ଚମକପୁର ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଗଣେଶ୍ୱର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେ ଜାନୁଆରୀ ମାସରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏବଂ ସେହି ମାସରୁ ଯାହା ପିଡିଏସ ସାମଗ୍ରୀ ପଂଚାୟତକୁ ମିଳିଛି, ସେ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି । ତେବେ ଅଭିଯୋଗ ଅନୁଯାୟୀ ଲକ୍ଡାଉନ ସମୟରେ ଏକ ମାସର ପିଡିଏସ ସାମଗ୍ରୀ ହିତାଧିକାରୀଙ୍କୁ ନ ମିଳିବା ସମ୍ପର୍କରେ ସେ କିଛି ଜାଣି ନଥିବା କହିଥିଲେ । ତେବେ ସରପଂଚ ଏ ବାବଦରେ ଯାଂଚ କରି ଜାଣିବାକୁ ପାଇଥିବା ବେଳେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘଟଣାକୁ ଅସ୍ୱୀକାର କରିବା କେତେ ଦୂର ଯଥାର୍ଥ ତାହା ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଜଣାପଡିବ ବୋଲି ସ୍ଥାନୀୟ ଅଂଚଳବାସୀ ଦାବୀ କରିଛନ୍ତି ।


