ପଞ୍ଚାୟତ ଗୃହ ନିର୍ମାଣରେ ବ୍ୟତିକ୍ରମ ନେଇ ଜଳସରପୁର ଗ୍ରାମବାସୀଙ୍କ ବ୍ଲକ ଘେରାଉ

ହାଟଡିହି,(ବିକାଶ ବିଶ୍ୱାଳ): ନ୍ଦେୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଗୃହ ନିର୍ମାଣରେ ଅନିୟମିତତା ନେଇ ଏହି ପଞ୍ଚାୟତର ଜଳସରପୁର ଗ୍ରାମବାସୀଙ୍କ ଦ୍ୱାରା ଆଜି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସୁଲଣ ଗ୍ରାମପଞ୍ଚାୟତ ଗଠନ ପରେ ଏହାର କାର୍ଯ୍ୟାଳୟ ଗୃହ ନିର୍ମାଣ ନେଇ ସୁଲଣ ଓ ଜଳସରପୁର ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ବୁଝାମଣା ହୋଇ ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ପଞ୍ଚାୟତର କାର୍ଯ୍ୟାଳୟ ନିର୍ମାଣ ହେବାନେଇ ନିଷ୍ପତି ହେବାପରେ ସେତେବେଳେ ଏହାର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଥିଲା । ପରବର୍ତ୍ତୀ ସମୟରେ ୨୦୧୭/୧୮ରେ ଟିଏଫସି /ଏସଏଫସି ଅନୁଦାନରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଏହି ଅସମ୍ପୁର୍ଣ୍ଣ ଘରଟିକୁ ପୁନର୍ବାର ନିର୍ମାଣ କରାଯାଇ ଛାତ ପକାଯାଇ କାମକୁ ଅଧାପନ୍ତରିଆ ଭାବେ ପକାଇ ଦିଆଯାଇଥିଲା । ମାତ୍ର ବର୍ତ୍ତମାନ ପୁନର୍ବାର ଏହାକୁ ଆମଗାଁ ଆମ ବିକାଶ ଯୋଜନାରେ ୪ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ଘରର ସିଡିଘର ନିର୍ମାଣ ସହିତ ପ୍ଲାଷ୍ଟର ଓ ରଙ୍ଗ କରାଯାଇ ସମ୍ପୁର୍ଣ୍ଣ କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ଲେଖାଯିବା ସ୍ଥାନରେ ଏହାକୁ ଗୋଷ୍ଠୀକେନ୍ଦ୍ର ଲେଖାଯିବାରୁ ଜଳସରପୁର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଗ୍ରାମର ଚତୁର୍ଭୁଜ ଦାସ, ବୈଦ୍ୟନାଥ ଦେହୁରୀ, କବିତା ବେହେରା, ହରିହର ପଲେଇ, ସୁବଳ ବେହେରା, ମାୟାଧର ରାଉତ, ବଳରାମ ଜେନା, କାମପାଳ ଜେନା, କୈଳାଶ ଦେହୁରୀ, ବିଦେଶୀ ବେହେରା, ହରିହର ଜେନା, କୃଷ୍ଣ ପଲେଇ, କୋଦଣ୍ଡ ଦେହୁରୀ, ଖଗେଶ୍ୱର ନାୟକ, ମୁକୁନ୍ଦ ବେହେରା, କାମପାଳ ବେହେରା, ରଥିଆ ଜେନା, ରାଜକିଶୋର ଦେହୁରୀ, ଗୌରାଙ୍ଗ ବେହେରା, ସୁଦାମ ଦେହୁରୀଙ୍କ ସମେତ ଶତାଧିକ ଗ୍ରାମବାସୀ ବ୍ଲକ ଘେରାଉ କରିବା ସହିତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ଏହି ଅନିୟମିତତାର ତଦନ୍ତ କରାଯିବା ସହିତ ଗୋଷ୍ଠୀକେନ୍ଦ୍ର ଲେଖାକୁ ଲିଭାଯାଇ ପଞ୍ଚାୟତ କାର୍ଯ୍ୟାଳୟ ସୁଲଣ ଲେଖିବାକୁ ସେମାନେ ଦାବି କରିଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାପରେ ଓ ବିଡିଓ ଘଟଣାସ୍ଥକୁ ପରିଦର୍ଶନ କରି ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବାପରେ ଲୋକମାନେ ଆନ୍ଦୋଳନରୁ ହଟିଥିଲେ । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ପ୍ରକାଶ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପଞ୍ଚାୟତର ରେଜୁଲେସନ ପରେ ପରିତ୍ୟକ୍ତ ହୋଇ ପଡିଥିବା ଘରଟିକୁ ଏଷ୍ଟିମେଟ ଅନୁଯାଇ କାର୍ଯ୍ୟ କରାଯାଇ ପୁର୍ଣ୍ଣାଙ୍ଗ କରାଯାଇଛି । ଯେହେତୁ ଆମ ଗାଁ ଆମ ବିକାଶ ଯୋଜନାରେ ଏହା ପୁର୍ଣ୍ଣାଙ୍ଗ କରାଯାଇଛି ତେଣୁ ଗୋଷ୍ଠୀକେନ୍ଦ୍ର ଲେଖା ଯାଇଥିବା କହିଛନ୍ତି । ସେମାନେ ଆଜି ଯେହେତୁ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି ତେଣୁ ବିଡିଓ ଘଟଣାସ୍ଥଳ ପରିଦର୍ଶନ କରି ଯାହା ଆଦେଶ ଦେବେ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ