ପଞ୍ଜାବ ଫେରିଛନ୍ତି ୯୦ ହଜାର ପ୍ରବାସୀ ଭାରତୀୟ
ଚଣ୍ଡିଗଡ଼: କୋରୋନା ଭୂତାଣୁ ସମଗ୍ର ବିଶ୍ବରେ ଭୟର ଏକ ବାତାବରଣ ସୃଷ୍ଟି କରିଥିବା ବେଳେ ବିଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ ସ୍ବଦେଶ ଫେରିବାରେ ଲାଗିଛନ୍ତି। ଯେଉଁଠି ଭାରତୀୟମାନେ କୋରୋନା ଜନିତ କଟକଣାର ସମ୍ମୁଖୀନ ହୋଇ ଭାରତକୁ ଫେରିବାରେ ସମସ୍ୟା ଭୋଗୁଛନ୍ତି, ସେମାନଙ୍କୁ ଏଠାକୁ ଫେରାଇ ଆଣିବା ସକାଶେ କେନ୍ଦ୍ର ସରକାର ବନ୍ଦୋବସ୍ତ ମଧ୍ୟ କରିଆସିଛନ୍ତି। ଫଳସ୍ବରୂପ କୋରୋନା ଭୂତାଣୁ ବ୍ୟାପିବା ପରେ ଅଦ୍ୟାବଧି କେବଳ ପଞ୍ଜାବକୁ ପାଖାପାଖି ୯୦ ହଜାର ପ୍ରବାସୀ ଭାରତୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସରକାରଙ୍କ ନିୟମାନୁସାରେ, ବିଦେଶରୁ ଫେରୁଥିବା ପ୍ରତିଟି ନାଗରିକଙ୍କୁ ନିଃସଙ୍ଗବାସରେ ରହିବାକୁ ପଡ଼ିବ। ତେଣୁ ପଞ୍ଜାବ ସରକାର ବ୍ୟାପକ ଆଇସୋଲେସନ୍ ୱାର୍ଡ ଓ ହସ୍ପିଟାଲ୍ ତଥା ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ କରିବା ସକାଶେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ଏ ବାବଦରେ ୧୫୦ କୋଟି ଟଙ୍କା ଯୋଗାଇ ଦେବା ସକାଶେ ପଞ୍ଜାବର ୫ ଜଣ ସାଂସଦ ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଭେଟି ଦାବି ଉପସ୍ଥାପନ କରିଥିବା ପଞ୍ଜାବ ସ୍ବାସ୍ଥ୍ୟ ମନ୍ତ୍ରୀ ବିଏସ୍ ସିଦ୍ଧୁ କହିଛନ୍ତି।
ସେ କହିଛନ୍ତି ଯେ ଗତ ତିନି/ଚାରି ମାସ ମଧ୍ୟରେ ପାଖାପାଖି ୯୦ ହଜାର ପ୍ରବାସୀ ଭାରତୀୟ ପଞ୍ଜାବକୁ ଫେରିଛନ୍ତି। ତେଣୁ ସେମାନଙ୍କ ଆଇସୋଲେସନ୍ ସହ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ପାଇଁ ଯଥେଷ୍ଟ ଅର୍ଥର ଆବଶ୍ୟକତା ରହିଛି। ଏହାଦ୍ବାରା ଆଗାମୀ ଦିନରେ କୋରୋନା ଭୂତାଣୁର ମୁକାବିଲା କରାଯାଇପାରିବ ବୋଲି ସିଦ୍ଧୁ କହିଛନ୍ତି। ଭାରତରେ ସୋମବାର ସୁଦ୍ଧା ୪୭୮ ଜଣ କୋରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ପଞ୍ଜାବରେ ଏହି ଭୂତାଣୁର ବ୍ୟାପକତାକୁ ରୋକିବା ସକାଶେ ସୋମବାର ସେଠାକାର ସରକାର କର୍ଫ୍ୟୁ ଜାରି କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ମଧ୍ୟ କୋରୋନା ପୀଡ଼ିତଙ୍କ ଚିକିତ୍ସା ସକାଶେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ଘୋଷଣା କରିଛନ୍ତି। ସେହିପରି କର୍ଫ୍ୟୁ ପରିସ୍ଥିତିରେ ଦିନମଜୁରିଆମାନେ କାମ କରିବାର ସୁଯୋଗ ହରାଇବାକୁ ଥିବାରୁ ସେମାନଙ୍କୁ ଗୁଜୁରାଣ ମେଣ୍ଟାଇବା ସକାଶେ ୩ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି। ଏହି ଟଙ୍କା ସେମାନଙ୍କୁ ଡିବିଟି ଜରିଆରେ ଦିଆଯିବ। ଏଥିରେ ୩ ଲକ୍ଷ ୧୮ ହଜାର ଦିନମଜୁରିଆ ଓ ଶ୍ରମିକ ଉପକୃତ ହେବେ ଓ ରାଜକୋଷ ଉପରେ ୯୬ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି କୁହାଯାଇଛି।


