ସାର୍କ କୋରୋନା ଫଣ୍ଡ୍କୁ ପାକିସ୍ତାନର ଅବଦାନ ଶୂନ
ଇସଲାମାବାଦ: ସାମ୍ପ୍ରତିକ ସମୟରେ ଭାରତ ଓ ଅନ୍ୟାନ୍ୟ ସାର୍କ ରାଷ୍ଟ୍ରରେ କୋରୋନା ଭୂତାଣୁ ହାହାକାର ମଚାଇଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଏହା ବିରୋଧରେ ଲଢ଼େଇ ପାଇଁ ରାଷ୍ଟ୍ରମାନେ ଆଗକୁ ଆସିଛନ୍ତି। ଏଥିପାଇଁ କୋଭିଡ୍-୧୯ ଏମର୍ଜେନ୍ସି ଫଣ୍ଡ୍ ଗଠନ କରାଯାଇଥିବା ବେଳେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏହି ଫଣ୍ଡ୍କୁ ଅଦ୍ୟାବଧି ସମୁଦାୟ ୧୮.୮ ନିୟୁତ ଡଲାର୍ ଦାନ କରାଯାଇଛି। କିନ୍ତୁ ପାକିସ୍ତାନ ଏକମାତ୍ର ରାଷ୍ଟ୍ର ଯାହାର ଅବଦାନ ଅଦ୍ୟାବଧି ଶୂନ ରହିଛି। ଏହି ଫଣ୍ଡ୍ର ଶୁଭାରମ୍ଭ ଭାରତର ୧୦ ନିୟୁତ ଡଲାର୍ର ଦାନ ସହ ହୋଇଥିଲା। ଗତ ମାର୍ଚ୍ଚ ୧୫ ତାରିଖରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସାର୍କ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଲୋଚନା ହେବା ସହ ଏହି ଫଣ୍ଡ୍ ଗଠନ କରାଯାଇଥିଲା। ଅଦ୍ୟାବଧି ଏହି ଫଣ୍ଡ୍କୁ ଦାନ କରିଥିବା ରାଷ୍ଟ୍ର ମଧ୍ୟରେ ଆଫଗାନିସ୍ତାନ ୧ ନିୟୁତ ଡଲାର୍, ବାଂଲାଦେଶ ୧.୫ ନିୟୁତ ଡଲାର୍ ଓ ଭୁଟାନ୍ ୧ ଲକ୍ଷ ଡଲାର୍ ଦାନ କରିଛନ୍ତି। ଏହାଛଡ଼ା ମାଳଦ୍ବୀପ ୨ ଲକ୍ଷ ନିୟୁତ ଡଲାର୍ ପ୍ରଦାନ କରିଥିବା ବେଳେ ନେପାଳ ୧ ନିୟୁତ ଡଲାର୍ ଓ ଶ୍ରୀଲଙ୍କା ଦ୍ବିତୀୟ ସର୍ବାଧିକ ୫ ନିୟୁତ ଡଲାର୍ ଦାନ କରିଛନ୍ତି।
ଏ ସଂକ୍ରାନ୍ତରେ ମଙ୍ଗଳବାର ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ସାର୍କ ରାଷ୍ଟ୍ର ପ୍ରତିନିଧିଙ୍କ ଆଲୋଚନାରେ ପାକିସ୍ତାନ ରାଷ୍ଟ୍ରମୁଖ୍ୟ ଇମ୍ରାନ୍ ଖାନ୍ ଯୋଗ ଦେଇ ନ ଥିଲେ। ବରଂ ତାଙ୍କ ସ୍ଥାନରେ ପାକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରୀ ଜାଫର୍ ମିର୍ଜା ଉକ୍ତ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ସମ୍ମିଳନୀରେ ପ୍ରତିନିଧିତ୍ବ କରିଥିଲେ। ତେଣୁ ସାର୍କ ଏମର୍ଜେନ୍ସି ଫଣ୍ଡକୁ ପାକିସ୍ତାନ କୌଣସି ପ୍ରକାର ଦାନ କରି ନ ଥିବା ବିଶ୍ବାସ କରାଯାଉଛି। ଅଧିକନ୍ତୁ ଉକ୍ତ ସମ୍ମିଳନୀରେ ଗୁରୁତ୍ବପୂର୍ଣ୍ଣ କୋରୋନା ଭୂତାଣୁର ମୁକାବିଲା ଉପରେ ଗୁରୁତ୍ବ ନ ଦେଇ ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରୀ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ପରେ ଭାରତ ପାକିସ୍ତାନର ଏପରି ଉଦ୍ୟମକୁ ନିନ୍ଦା କରିବା ସହ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତର ରାଜନୀତିକରଣ କରିବା ପାଇଁ ପାକିସ୍ତାନ ଚେଷ୍ଟା କରୁଥିବା କୁହାଯାଇଥିଲା। ଆଫଗାନିସ୍ତାନ ପରି ଏକ ଆର୍ଥିକ ଦୁର୍ବଳ ତଥା ନାନାଦି ଆଭ୍ୟନ୍ତରୀଣ ଅଶାନ୍ତି ମଧ୍ୟ ଦେଇ ଗତି କରୁଥିବା ସତ୍ତ୍ବେ ଆଫଗାନିସ୍ତାନ ଏହି ଫଣ୍ଡକୁ ୧ ନିୟୁତ ଡଲାର୍ ଦାନ କରିଛି। ତେଣୁ ପାକିସ୍ତାନ ଉଦ୍ଦେଶ୍ୟମୂଳକ ଭାବେ ଏହି ଫଣ୍ଡକୁ କୌଣସି ପ୍ରକାର ଦାନ କରି ନ ଥିବା କୁହାଯାଉଛି।


