ମହାରାଷ୍ଟ୍ରକୁ ଟପିଲା କେରଳ: ଦେଶରେ ୫୩୮ କୋରୋନା ଆକ୍ରାନ୍ତ
ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ କୋରୋନା ଭୂତାଣୁଜନିତ ଭୟର ବାତାବରଣ ସବୁଠି ଜାରି ରହିଥିବା ବେଳେ ଭାରତରେ ବି ପରିସ୍ଥିତି ଭିନ୍ନ ନାହିଁ। ମଙ୍ଗଳବାର ବି ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ମଣିପୁର ଓ କେରଳରେ ଏକାଧିକ ଲୋକ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାରୁ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରାତଃ ୯ଟା ସୁଦ୍ଧା ଜାରି ରିପୋର୍ଟ ଅନୁସାରେ, ଆକ୍ରାନ୍ତଙ୍କ ସଂଖ୍ୟାରେ ମହାରାଷ୍ଟ୍ରକୁ କେରଳ ଅତିକ୍ରମ କରିଯାଇଛି। କେରଳରେ ସମୁଦାୟ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ର ଏହି ସଂଖ୍ୟା ୮୯ ରହିଛି। ସେହିପରି କର୍ଣ୍ଣାଟକରେ ଏହି ସଂଖ୍ୟା ୪୦ ରହିଛି ଓ ଉତ୍ତର ପ୍ରଦେଶରେ ୪୨ ଜଣ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ୪୫୧ ଜଣ ଭାରତୀୟ ଚିକିତ୍ସାଧୀନ ଥିବା ବେଳେ ୪୧ ଜଣ ବିଦେଶୀ ନାଗରିକ ମଧ୍ୟ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ୩୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯ ଜଣ ମୃତ୍ୟୁବରଣ କରିସାରିଛନ୍ତି। ମଙ୍ଗଳବାର ସକାଳେ ବିଭିନ୍ନ ରାଜ୍ୟରେ ୧୦ ଜଣ ରୋଗୀ ନୂଆକରି ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି।
ମଣିପୁରର ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ କୋରୋନା ଭୂତାଣୁ ଠାବ ହୋଇଛି। ଉକ୍ତ ଯୁବକ ଜଣକ ନିକଟରେ ଯୁକ୍ତରାଜ୍ୟରୁ ଫେରିବା ପରେ ତାଙ୍କର ଯାଞ୍ଚ୍ ହୋଇଥିଲା ଓ ତାଙ୍କଠାରେ କୋରୋନା ଭୂତାଣୁ ରହିଥିବା ଜଣାପଡ଼ିଥିଲା। ଏଥିସହ ଉତ୍ତର-ପୂର୍ବ ରାଜ୍ୟରେ ପ୍ରଥମ କୋରୋନା ଭୂତାଣୁ ଆକ୍ରାନ୍ତ ଠାବ ହୋଇଛନ୍ତି। ତେବେ ଉକ୍ତ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ତେଲେଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ ଜଣ ବିଦେଶୀ ମଧ୍ୟ ରହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ସୋମବାର ଏହି ଭୂତାଣୁ ଦ୍ବାରା ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୪ ଘଣ୍ଟା ଭିତରେ ଦେଶରେ ଏହା ସର୍ବାଧିକ ରହିଛି। ତେବେ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟା ଭିତରେ ଜଣେ ବି ରୋଗୀ ଠାବ ହୋଇନାହାନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଜଣେ ବି କୋରୋନା ଆକ୍ରାନ୍ତ ଠାବ ହୋଇନାହାନ୍ତି। ବରଂ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ଆମେ ଏଥିରେ ଖୁସି ହେଲେ ଚଳିବ ନାହିଁ। କାରଣ ପରିସ୍ଥିତି ଯେପରି ନିୟନ୍ତ୍ରଣ ବାହାରକୁ ଚାଲି ନ ଯିବ, ତାହା ଆମ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ୍। ଏଥିରେ ସମସ୍ତ ଜନସାଧାରଣଙ୍କ ସହଯୋଗ ନିହାତି ଦରକାର ବୋଲି କେଜରିୱାଲ୍ ଟ୍ବିଟ୍ କରି କହିଛନ୍ତି।


