ପବିତ୍ର ମାଘ ମାସର ପୂର୍ଣ୍ଣିମାରେ ଗଙ୍ଗାରେ ବୁଡପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ପ୍ରୟାଗରାଜ:- ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଗଙ୍ଗାନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ମାଘ ମାସର ପୂର୍ଣ୍ଣିମା ତିଥିରେ ଗଙ୍ଗାରେ ବୁଡ଼ ପକାଇଲେ ପାପକ୍ଷୟ ହୋଇଥାଏ ବୋଲି ଆସ୍ଥା ଓ ବିଶ୍ୱାସ ରହିଛି । ପ୍ରଶାସନ କହିବା ଅନୁସାରେ ପ୍ରାୟ ୨୫ ଲକ୍ଷ ଭକ୍ତ ଆଜି ଏଠରେ ବୁଡ଼ ପକାଇଛନ୍ତି । ବୁଡ଼ ପକାଇବା ନିମନ୍ତେ ଭକ୍ତମାନଙ୍କ ଲାଗି ୮ଟି ଘାଟ ନିର୍ମାଣ କରାଯାଇଛି । ପାହାନ୍ତା ପହରର ବହୁ ପୂର୍ବରୁ ଏହି ସବୁ ଘାଟମାନଙ୍କରେ ବହୁ ସଂଖ୍ୟକ ଜନସମାଗମ ଆରମ୍ଭ ହୋଇଯାଇଛି । ଏଥିପାଇଁ ପ୍ରଶାସନ ତରଫରୁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଛି । ବୁଡ଼ ପକାଇ ସାରିବା ପରେ ଭକ୍ତମାନେ ନଦୀକୂଳରେ ଚାଲିଥିବା ମାଘ ମେଳା ଦେଖିବାକୁ ଯାଉଛନ୍ତି । ସେହିପରି ପଶ୍ଚିମବଙ୍ଗ ଓ ବିହାର ଦେଇ ପ୍ରବାହିତ ହୋଇଥିବା ପବିତ୍ର ନଦୀଗୁଡ଼ିକରେ ଶ୍ରଦ୍ଧାଳୁମାନେ ଆଜି ବୁଡ଼ ପକାଇଥିବା ଜଣାଯାଇଛି । ଓଡ଼ିଶାରେ ମାଘ ମାସକୁ ପବିତ୍ର ମାସ ଭାବେ ଗ୍ରହଣ କରାଯାଇଥାଏ । ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧାର୍ମିକ କାର୍ୟ୍ୟମୂଳକ ନାମ, ଯଜ୍ଞର ଆୟୋଜନ ହୋଇଥାଏ ।


