ପରିବା ମାର୍କେଟ ପ୍ରାଙ୍ଗଣ-ମାଛ ମାର୍କେଟ ନିର୍ମାଣ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଏନ୍ଏସିରେ ପନିପରିବା ମାର୍କେଟ ପ୍ରାଙ୍ଗଣ ଓ ମାଛ ମାର୍କେଟ ନିମନ୍ତେ ଗୃହ ନିର୍ମାଣ ପାଇଁ ଦାବି ହୋଇଥିଲେ ହେଁ ଏଥି ପ୍ରତି କାଶୀନଗର ଏନ୍ଏସି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବାର ଅଭିଯୋଗ ହୋଇଛି । ସୂଚନାନୁଯାୟୀ କାଶୀନଗର ଏନ୍ଏସିର ବସଷ୍ଠାଣ୍ଡ ଠାରେ ପରିବା ବାକଳିମାନେ ପରିବା ବିକ୍ରି କରୁଥିଲେ । କରୋନାକାଳରେ ପରିବା ଦୋକାନୀଙ୍କୁ ବଂଶଧାରା ନଦୀ ତଟରେ ଅସ୍ଥାୟୀ ସେଡ କରି ପରିବା ବିକ୍ରି ନିମନ୍ତେ ଏକ ବଜାର କରାଗଲା । ଏହି ଅସ୍ଥାୟୀ ବଜାର ପାଲରେ ତିଆରି ହୋଇଥିଲା । ଯାହା ଫଳରେ ଖୋଲା ଆକାଶ ତଳେ ପରିବା ଦୋକନି ବର୍ଷା, ଖରା, ଶୀତ କାକରରେ ବ୍ୟବସାୟ କରୁଛନ୍ତି । ସେଠାରେ ପରିବା ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଦୋକାନ ଗୃହ ନିର୍ମାଣ ନିମନ୍ତେ ଫାଉଣ୍ଡେସନ ସ୍ଥାପନ କରି ବର୍ଷାଧିକାଳ ଅତିକ୍ରମ କଲାଣି । ବଜାର ପ୍ରାଙ୍ଗଣ ହୋଇ ପାରି ନାହିଁ ସେପଟେ ଗରୀବ ଦୋକାନୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ଏନ୍ଏସି କର୍ତ୍ତୃପକ୍ଷ ଦୈନିକ ବଜାର ଟ୍ୟାକ୍ସ ଆଦାୟ କରୁଛନ୍ତି କିନ୍ତୁ ପରିବା ପଜାର ନିର୍ମାଣର କୌମସି ବ୍ୟବସ୍ଥା କରୁନଥିବା ଯୋଗୁଁ ପରିବା ବିକାଳିମାନେ କ୍ଷୋଭର ସହ ତାଙ୍କ ଦାବୀପୁରଣ ନିମନ୍ତେ ଦାବି କରିଛନ୍ତି । ସେହିପରି ମାଛ ବାଜର ମଧ୍ୟ ନାହିଁ । ମାଛ ବିକାଳିମାେ ଏଣେତେଣେ ବସି ଖରା ବର୍ଷାରେ ବିକ୍ରି କରୁଛନ୍ତି । ବଜାର ନଥିବା ଫଳରେ ଏଣେତେଣେ ବସି ମାଛ ବିକ୍ରି କରି ନାନାଦି ଆବର୍ଜନା ତଥା ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛନ୍ତି । ତେଣୁ ଏନଏସି କର୍ତ୍ତୃପକ୍ଷ ତୁରନ୍ତ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଦିଗରେ ଧ୍ୟାନ ଦେବାକୁ କାଶୀନଗର ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।


