ପର୍ଯ୍ୟଟକଙ୍କୁ ଶିମିଳିପାଳ ବାରଣ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ଜାତୀୟ ଉଦ୍ୟାନ ଶିମିଳିପାଳ ଅସ୍ଥାୟୀ ରୂପେ ପର୍ଯ୍ୟଟକ ଙ୍କ ପାଇଁ ବନ୍ଦ । ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ଓ ଘନ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଶିମିଳିପାଳ ଆଭ୍ୟନ୍ତରୀଣ ଅଂଚଳରେ ବର୍ଷା ହେଉଥିବା ଓ ଜଙ୍ଗଲରେ ମାଟି ରାସ୍ତା ରେ ଯାନବାହାନ ଚଳାଚକ ବିପଦପୂର୍ଣ୍ଣ ଥିବାରୁ ପର୍ଯ୍ୟଟକ ଙ୍କୁ ଗତ କାଲି ଓ ଆଜି ଭିତରକୁ ଯିବାକୁ ବାରଣ କରାଯାଇଛି ଗତକାଲି ଓ ଆଜି ପିଠାବଟା ରେଞ୍ଜ ର ଲୁଲୁଙ୍ଗ ଓ ଯଶିପୁର ରେଞ୍ଜ ର ପ୍ରବେଶ ଫାଟକରେ ସକାଳୁ ପର୍ଯ୍ୟଟକ ମାନେ ଚାରିଚକିଆ ଗାଡ଼ିରେ ପ୍ରବେଶ ପାଇଁ ଅପେକ୍ଷା କରିଥିଲେ ତାଙ୍କୁ ବୁଝାଇ ଭିତରକୁ ଛଡାଯାଇନଥିଲା ! ବହୁ ପ୍ରତୀକ୍ଷାର ଅନ୍ତ ପରେ ନଭେମ୍ବର ପହିଲାରୁ ଶିମିଳିପାଳ ଖୋଲିଥିଲା । ପ୍ରଥମ ଦିନରେ ଶିମିଳିପାଳର ଅପୂର୍ବ ଶୋଭାରାଜିକୁ ୧୯୩ ପର୍ଯ୍ୟଟକ ଉପଭୋଗ କରିଥିଲେ । ତେବେ, ଚଳିତ ଥର ପର୍ଯ୍ୟଟକଙ୍କ ପାଇଁ ନୂଆ ଧରଣର ବ୍ୟବସ୍ଥା କରାଯାଇଛି । ଉଭୟ ଶିଶୁ ଏବଂ ଆଡଲ୍ଟଙ୍କ ପାଇଁ ଗଛ ଚଢ଼ା(ଟ୍ରି କୋର୍ସ)ର ବ୍ୟବସ୍ଥା କରାଯାଇଛି । ଶିଶୁମାନଙ୍କ ପାଇଁ ପ୍ରାୟ ୪-୬ ଫୁଟ୍ ଉଚ୍ଚାର ଗଛ ଚଢ଼ା ବ୍ୟବସ୍ଥା ହୋଇଥିବାବେଳେ ବୟସ୍କଙ୍କ ପାଇଁ ୧୨ଫୁଟ୍ରୁ ଅଧିକ ଗଛ ଚଢ଼ାର ବ୍ୟବସ୍ଥା ହୋଇଛି। ଗୁଡ଼ୁଗୁଡ଼ିଆରେ ମଧ୍ୟ ଏହି ଟ୍ରି କୋର୍ସର ବ୍ୟବସ୍ଥା ହୋଇଛି । ସେହିପରି ଜାମୁଆଣିରେ ରସି ଚଢ଼ାର ବ୍ୟବସ୍ଥା କରାଯାଇଛି । କୁମାରୀରେ କମାଣ୍ଡୋ ଟାୱାର୍ ବ୍ୟବସ୍ଥା ହୋଇଛି । ଯାହାକି ସମସ୍ତ ବର୍ଗଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ରାମତୀର୍ଥ, କୁମାରୀ, ଗୁଡ଼ୁଗୁଡ଼ିଆ, ବରେହିପାଣି ଓ ଜାମୁଆଣିରେ ମାଉଣ୍ଡେନ୍ ସାଇକ୍ଲିଂ ନିମନ୍ତେ ବ୍ୟବସ୍ଥା ହୋଇଛି । ଏଥିନିମନ୍ତେ ୫୦ଟି ସାଇକେଲ୍ କ୍ରୟ କରାଯାଇଛି । ସେହିପରି ସମ୍ପୂର୍ଣ୍ଣ ଶିମିଳିପାଳକୁ ନୋ ପ୍ଲାଷ୍ଟିକ୍ ଏବଂ ନୋ ପଲିଥିନ୍ ଜୋନ କରିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ।ପଲିଥିନ୍ ବଦଳରେ ଶାଳପତ୍ରର ବହୁଳ ବ୍ୟବହାର କରାଯିବା ନେଇ ପ୍ରସ୍ତୁତି ହୋଇଛି । ସମସ୍ତ ୫ ଇକୋ ଟୁରିଜିମ୍ କମ୍ପ୍ଲେକ୍ସରେ ଶିଶୁମାନଙ୍କ ପାଇଁ ଖେଳିବା ସ୍ଥାନ, ହର୍ଡଲ୍ସ, ପର୍ଯ୍ୟଟକଙ୍କ ପାଇଁ ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ୍, କ୍ୟାରମ୍, ଚେସ୍, ଭଲିବଲ୍ ଭଳି ଇଣ୍ଡୋର୍ ଗେମର ବ୍ୟବସ୍ଥା ହୋଇଛି । ରାଜ୍ୟରେ ଶୀତ ବଢୁଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିଲା । କିନ୍ତୁ ବର୍ଷା ଓ କୁହୁଡି ଯୋଗୁଁ ଶିମିଳିପାଳ ବନ୍ଦ କରାଯିବା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି ।ପରବର୍ତୀ ଦିନରେ ପାଗ ଶୁଖିଲା ହେବା ପରେ ପୁଣି ନିୟମାନୁଯାୟୀ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିବ ବୋଲି ସୂଚନା ମିଳିଛି ।


