ପଳସିଂହା ପଂଚାୟତରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପଳସିଂହା ପଂଚାୟତ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଥିବା ଦେଖାଯାଇଛି । ପଂଚାୟତର ୧୧୨୩ ରାସନକାର୍ଡ ହିତାଧିକାରୀଙ୍କୁ ୩ମାସର ଅଗ୍ରୀମ ରାସନ ଯୋଗାଇ ଦିଆଯାଇଥିବା ବେଳେ ସମସ୍ତ ହିତାଧିକାରୀଙ୍କୁ ପ୍ରତ୍ୟେକ ଏକ ହଜାର ଟଙ୍କା ଲେଖାଁଏ ମୋଟ ୧୧ଲକ୍ଷ ୨୩ହଜାର ଟଙ୍କାର ସରକାରୀ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ପଂଚାୟତର ୫୫୫ଜଣ ବୃଦ୍ଧ,ବିଧବା ଓ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କୁ ୪ମାସର ଅଗ୍ରୀମ ଭତ୍ତା ପ୍ରଦାନ କରାଯାଇଛି । ସେହିପରି ପଂଚାୟତର ୧୪୬ଜଣ ନିର୍ମାଣ ଶ୍ରମିକଙ୍କୁ ପ୍ରତ୍ୟେକ ୧୫ଶହ ଟଙ୍କା କରି ମୋଟ ୨ଲକ୍ଷ ୨୦ହଜାର ଟଙ୍କାର ଆର୍ଥିକ ସରକାରୀ ସହାୟତା ପ୍ରଦାନ କରାଯାଇଛି । ଗତମାର୍ଚ୍ଚମାସ ୩୦ତାରିଖରୁ ପ୍ରତ୍ୟେହ ପଂଚାୟତର ୯୯ଜଣଙ୍କୁ ଗରଜଙ୍ଗା ଗ୍ରାମର ମା’ ଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ଦୈନିକ ୨ଓଳା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଆଗକୁ ଆସିବାକୁ ଥିବା ପ୍ରବାସୀଙ୍କ ନିମନ୍ତେ ଗରଜଙ୍ଗା ୟୁଜିୟୁପି ସ୍କୁଲରେ ୪୦ଟି ଶଯ୍ୟା,ଗୋବିନ୍ଦଜୀଉପାଟଣା ଉଚ୍ଚ ପ୍ରାଥମିକ ସ୍କଲୁରେ ଏକଶହ ଶଯ୍ୟା ଓ କୁଲିଆତୁଲ ବନାତ ରବେୟା ବସରିଆ ମଦ୍ରାସାରେ ୫୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ପଂଚାୟତରେ ୨୮୦ ଜଣ ପ୍ରବାସୀ ପଂଚାୟତକୁ ଆସିବା ପାଇଁ ପଞ୍ଜିକରଣ କରିଥିବା ସୂଚନା ମିଳିଛି । ପଂଚାୟତ ସରପଂଚ କାଦମ୍ବିନୀ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପଂଚାୟତ ପକ୍ଷରୁ କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ପଂଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ପ୍ରଧାନ ଏହିସବୁ କାର୍ଯ୍ୟରେ ସରପଂଚଙ୍କୁ ସହଯୋଗ କରୁଥିବା ଦେଖାଯାଇଛି ।


